କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ଜାରି ରହିଥିବା ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ତୃଣମୂଳ କଂଗ୍ରେସ (TMC) କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଦଳ ପକ୍ଷରୁ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଦାୟର କରାଯାଇଛି।
ତୃଣମୂଳ ସାଂସଦ ତଥା ବରିଷ୍ଠ ଆଇନଜୀବୀ କଲ୍ୟାଣ ବାନାର୍ଜୀଙ୍କ ପୁଅ ଶୀର୍ଷାନ୍ୟ ବାନାର୍ଜୀ ଏହି ପିଟିସନ ଦାୟର କରିଛନ୍ତି। ମଙ୍ଗଳବାର ଦିନ ସେ ମୁଖ୍ୟ ବିଚାରପତି ସୁଜୟ ପାଲ୍ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଏହି ପ୍ରସଙ୍ଗ ଉତ୍ଥାପନ କରି ମାମଲାର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ।
ମେ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ବ୍ୟାପକ ହିଂସା ଦେଖାଦେଇଛି। ଏଥିରେ ପ୍ରାୟ ୨,୦୦୦ ରୁ ଅଧିକ ତୃଣମୂଳ କର୍ମୀ ଓ ସମର୍ଥକ ଆହତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୩୬୫ଟି ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଭଙ୍ଗାରୁଜା କରାଯାଇଛି। ଶୀର୍ଷାନ୍ୟ ବାନାର୍ଜୀ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, କଲିକତା ହାଇକୋର୍ଟ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ହିଂସା ରୋକିବା ପାଇଁ ପଦକ୍ଷେପ ନିଅନ୍ତୁ। ଏହାସହ ଟିଏମସି କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣର ତଦନ୍ତ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା କରାଯାଇ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉ।
ମୁଖ୍ୟ ବିଚାରପତି ଜଷ୍ଟିସ୍ ସୁଜୟ ପାଲ୍ ଏବଂ ଜଷ୍ଟିସ୍ ପାର୍ଥ ସାରଥୀ ସେନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆସନ୍ତା ଗୁରୁବାର ଦିନ ଏହି ମାମଲାର ଶୁଣାଣି ହୋଇପାରେ।ଉଲ୍ଲେଖଯୋଗ୍ୟ ଯେ, ମୁର୍ଶିଦାବାଦ ଏବଂ ପଶ୍ଚିମ ମେଦିନାପୁର ଜିଲ୍ଲାରେ ଲେନିନଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି କଲିକତାର ପୁରାତନ ବଜାର ‘ହଗ୍ ମାର୍କେଟ୍’ (ନ୍ୟୁ ମାର୍କେଟ୍) ଅଞ୍ଚଳରେ ଥିବା ଟିଏମସି କାର୍ଯ୍ୟାଳୟକୁ ବିଜେପି ପକ୍ଷରୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ସମସ୍ତ ଘଟଣାକୁ ନେଇ ଆଇନଜୀବୀ ରିତାଙ୍କର ଦାସ ମଧ୍ୟ ହାଇକୋର୍ଟରେ ପୃଥକ ଭାବେ ଆବେଦନ କରିଛନ୍ତି।




