ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳରେ ଥିବା ଲକ୍କି ମାରୱାଟ ଜିଲ୍ଲାର ସରାଇ ନାଉରଙ୍ଗ ସହରର ଏକ ବଜାରରେ ମଙ୍ଗଳବାର ଏକ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଏକ ବୋମା ଭର୍ତ୍ତି ରିକ୍ସା ମାଧ୍ୟମରେ କରାଯାଇଥିଲା, ଯେଉଁଥିରେ ୯ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ପ୍ରାୟ ୩୦ ରୁ ୩୭ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ମୃତକଙ୍କ ମଧ୍ୟରେ ଦୁଇଜଣ ଟ୍ରାଫିକ୍ ପୋଲିସ ଏବଂ ଜଣେ ମହିଳା ଅଛନ୍ତି।ଗୁରୁତର ଆହତମାନଙ୍କୁ ବାନ୍ନୁ ସହରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ନିକଟରେ ବାନ୍ନୁ ଜିଲ୍ଲାରେ ଏକ ଆକ୍ରମଣରେ ୨୧ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ, ଯାହା ପାଇଁ ପାକିସ୍ତାନ ସରକାର ଟିଟିପି (TTP) କୁ ଦାୟୀ କରିଛନ୍ତି।

ଆଫଗାନିସ୍ତାନର ତାଲିବାନ ସରକାର ଏହି ଅଭିଯୋଗକୁ ଭିତ୍ତିହୀନ କହି ପ୍ରତ୍ୟାଖ୍ୟାନ କରିଛନ୍ତି। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଗତ କିଛି ମାସ ଧରି ଉତ୍ତେଜନା ଲାଗି ରହିଛି ଏବଂ ଏହି ନୂତନ ଆକ୍ରମଣ ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।