ବାରିପଦା/ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲାରେ ଏକ ଅତ୍ୟନ୍ତ ହୃଦୟବିଦାରକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମଦ ନିଶା ପୂରଣ ପାଇଁ ଜଣେ ବାପା ନିଜର ୭ ମାସର ଶିଶୁପୁତ୍ରକୁ ୩୦ ହଜାର ଟଙ୍କାରେ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କ ସନ୍ଦେହ ହେବାରୁ ଘଟଣା ପଦାକୁ ଆସିଥିଲା। ପରେ ପୁଲିସ ଓ ଶିଶୁ ସୁରକ୍ଷା ବିଭାଗର ହସ୍ତକ୍ଷେପରେ ଶିଶୁଟିକୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଧୀନ ଘୋଳମୁହାଁ ଗ୍ରାମର ରତନ କିସ୍କୁ ନାମକ ବ୍ୟକ୍ତି ଦୀର୍ଘଦିନ ଧରି ମଦ ନିଶାରେ ଆସକ୍ତ ଥିଲେ। ନିଶାସକ୍ତ ଅବସ୍ଥାରେ ସେ ପତ୍ନୀ ଓ ଶିଶୁକୁ ମାରଧର କରୁଥିବା ଅଭିଯୋଗ ମଧ୍ୟ ରହିଛି। ଏନେଇ ସ୍ଥାନୀୟ ସିଡିପିଓ, ଅଙ୍ଗନବାଡ଼ି ସୁପରଭାଇଜର, ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଅନେକଥର ବୁଝାସୁଝା କରିଥିଲେ ମଧ୍ୟ ତାଙ୍କ ଆଚରଣରେ ପରିବର୍ତ୍ତନ ଆସିନଥିଲା।

ମଙ୍ଗଳବାର ସେ ନିଜ ୭ ମାସର ପୁଅକୁ ନେଇ ବାରିପଦା ସଦର ଥାନା ଅଧୀନ ଚନ୍ଦାବିଲା ଗ୍ରାମକୁ ଯାଇଥିଲେ। ସେଠାରେ ସେ ନିଜର ପରିଚୟ ଲୁଚାଇ ‘ଅର୍ଜୁନ କିସ୍କୁ’ ନାମରେ ପରିଚୟ ଦେଇଥିଲେ। ତାଙ୍କ ଚାଳଚଳନ ଓ କଥାବାର୍ତ୍ତା ଦେଖି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ସେମାନେ ତାଙ୍କୁ ଅଟକ ରଖି ପଚରାଉଚରା କରିବା ସମୟରେ ସେ ୩୦ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିବାକୁ ଆସିଥିବା କଥା ସାମ୍ନାକୁ ଆସିଥିଲା।

ଘଟଣା ସମୟରେ କିଛି ମହିଳା ତାଙ୍କୁ ଅଟକ ରଖିଥିବା ବେଳେ ରତନ ସୁଯୋଗ ନେଇ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ବାରିପଦା ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲା।

ପରେ ଶିଶୁ ଓ ମହିଳା ବିକାଶ ବିଭାଗର ଅଧିକାରୀମାନେ ପହଞ୍ଚି ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ପରବର୍ତ୍ତୀ ସମୟରେ ଶିଶୁଟିକୁ ଚାଇଲ୍ଡ ୱେଲଫେୟାର କମିଟି (ସିଡବ୍ଲ୍ୟୁସି) ହାତକୁ ହସ୍ତାନ୍ତର କରାଯାଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଚାଲିଛି ଏବଂ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।