କୋଲକାତା: ପୂର୍ବ କୋଲକାତାର ତିଲଜଲା ଅଞ୍ଚଳରେ ମଙ୍ଗଳବାର ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ପଶ୍ଚିମବଙ୍ଗ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ କୋଲକାତା ପୋଲିସକୁ ଏହି ମାମଲାରେ ଏକ ନିର୍ଦ୍ଦିଷ୍ଟ FIR ରୁଜୁ କରିବାକୁ କୁହାଯାଇଛ

ରାଜ୍ୟ ସରକାର ଏହି ଘଟଣାର ଅନୁଧ୍ୟାନ ପାଇଁ ଏକ ବିଭାଗୀୟ କମିଟି ଗଠନ କରିଛନ୍ତି। ଏହି କମିଟି ଘଟଣାସ୍ଥଳ ପରିଦର୍ଶନ କରି ସମସ୍ତ ଦସ୍ତାବେଜ ଯାଞ୍ଚ କରିବେ ଏବଂ ୧୩ ମଇ ୨୦୨୬ (ବୁଧବାର) ସକାଳ ୧୧ଟା ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ। ଜୀବନ ଓ ସମ୍ପତ୍ତିର ବ୍ୟାପକ କ୍ଷତିକୁ ଦୃଷ୍ଟିରେ ରଖି ସରକାର ଏହି ତତ୍ପରତା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ତିଲଜଲାର ଜି.ଜେ ଖାନ୍ ରୋଡ୍‌ରେ ଥିବା ଏକ ଚାରି ମହଲା କୋଠାର ଦ୍ୱିତୀୟ ମହଲାରେ ମଙ୍ଗଳବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା।

ନିଆଁ ଲାଗିବା ପରେ ଘର ଭିତରେ ଥିବା ୭ ଜଣ ବ୍ୟକ୍ତି ନିଜକୁ ରକ୍ଷା କରିବା ପାଇଁ ବାଥରୁମ୍ ଭିତରେ ଲୁଚି ଯାଇଥିଲେ। ମାତ୍ର ପ୍ରବଳ କଳା ଧୂଆଁ ଯୋଗୁଁ ସେଠାରେ ଶ୍ୱାସରୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଦମକଳ ବାହିନୀର ୪ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଲିକତା ନ୍ୟାସନାଲ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଆହତ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି, ଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଓ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ଘଟଣାର ଗଭୀର ତଦନ୍ତ ଜାରି ରଖିଛନ୍ତି।