ଭୁବନେଶ୍ୱର: ବିଶ୍ୱ ଶକ୍ତି ବଜାରରେ ଦେଖାଦେଇଥିବା ଅନିଶ୍ଚିତତା ଏବଂ ଜାଳେଣି ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିତବ୍ୟୟିତା ଆହ୍ୱାନରେ ସାମିଲ ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ମୁଖ୍ୟମନ୍ତ୍ରୀ ନିଜର ସରକାରୀ କାରକେଡ୍‌ରେ (Convoy) ଗାଡ଼ି ସଂଖ୍ୟାକୁ ୫୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏହାସହ ରାଜ୍ୟବାସୀଙ୍କୁ ଏକ ସଂଯମ ଜୀବନଶୈଳୀ ଆପଣାଇବାକୁ ସେ ନିବେଦନ କରିଛନ୍ତି।

ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ସରକାରୀ ଗାଡ଼ିର ବ୍ୟବହାର ସୀମିତ କରିବାକୁ ଏବଂ ଅନାବଶ୍ୟକ ଭ୍ରମଣରୁ ନିବୃତ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତିଗତ ଗାଡ଼ି ପରିବର୍ତ୍ତେ ସର୍ବସାଧାରଣ ପରିବହନ (Public Transport) ଏବଂ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। ଏପରିକି ଅତି ଆବଶ୍ୟକ ନଥିଲେ ସୁନା କିଣିବା ଏବଂ ବିଦେଶ ଭ୍ରମଣରୁ ଦୂରେଇ ରହିବାକୁ ସେ କହିଛନ୍ତି।

ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପାଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ‘ଆର୍ଥିକ ଆତ୍ମରକ୍ଷା’ ଆହ୍ୱାନକୁ ସମର୍ଥନ ଜଣାଇଛନ୍ତି। ରାଜଭବନ ପୂର୍ବରୁ ସୌର ଶକ୍ତିରେ ପରିଚାଳିତ ହେଉଥିବା ବେଳେ ରାଜ୍ୟପାଳଙ୍କ ସମସ୍ତ ଗାଡ଼ିକୁ ଇଲେକ୍ଟ୍ରିକ୍ ଗାଡ଼ିରେ ପରିବର୍ତ୍ତନ କରାଯାଇଛି।

ସାପ୍ତାହିକ ‘ନୋ ଇଞ୍ଜିନ’ ଡେ: ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ସପ୍ତାହକୁ ଅତିକମରେ ଦିନେ ‘କମ୍ବସନ ଇଞ୍ଜିନ ମୁକ୍ତ ଦିବସ’ ପାଳନ କରିବାକୁ ସେ କୁଳପତିମାନଙ୍କୁ ପରାମର୍ଶ ଦେବେ। ସେଦିନ ଛାତ୍ର ଓ ଅଧିକାରୀମାନେ ସାଇକେଲ କିମ୍ବା ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର କରିବେ।

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଆମଦାନୀ ହେଉଥିବା ଜାଳେଣି ଉପରେ ନିର୍ଭରଶୀଳତା କମାଇବା ପାଇଁ ପ୍ରଧାନମନ୍ତ୍ରୀ ନିଜେ ନିଜ କାରକେଡ୍ ଗାଡ଼ି ସଂଖ୍ୟା ୫୦% କମାଇ ଦେଇଛନ୍ତି। ଏହାସହ ସେ ଖାଇବା ତେଲ ବ୍ୟବହାର କମାଇବା, ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ଏବଂ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବାକୁ କହିଛନ୍ତି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ଦିଲ୍ଲୀ ଭଳି ରାଜ୍ୟ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି।