ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ତୃତୀୟ ପର୍ଯ୍ୟାୟ “ସ୍ୱତନ୍ତ୍ର ସଘନ ସଂଶୋଧନ” (ଏସ୍ଆଇଆର୍) କାର୍ଯ୍ୟକ୍ରମ ଆରମ୍ଭ ହେବ। ଓଡ଼ିଶାରେ ଏହି ପ୍ରକ୍ରିୟା ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେବ ବୋଲି କମିଶନ ସୂଚନା ଦେଇଛନ୍ତି। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି।
ନିର୍ବାଚନ କମିଶନଙ୍କ ଅନୁସାରେ, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ଲଦାଖକୁ ବାଦ ଦେଇ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଏହି ସଂଶୋଧନ କାର୍ଯ୍ୟ ଚାଲିବ। ଉକ୍ତ ତିନିଟି ଅଞ୍ଚଳରେ ପ୍ରତିକୂଳ ପାଣିପାଗ ଓ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ପରେ ଅଲଗା ସମୟସୂଚୀ ଘୋଷଣା କରାଯିବ।
ଓଡ଼ିଶାରେ ହେବାକୁ ଥିବା ଏହି ବ୍ୟାପକ ସଂଶୋଧନ ପ୍ରକ୍ରିୟାରେ ପ୍ରାୟ ୩୮ ହଜାର ୧୨୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରେ ଘରେ ପହଞ୍ଚି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୨୭ ହଜାର ୭୨୩ ଜଣ ବୁଥ୍ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ ହୋଇଛନ୍ତି।
ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ସଂଶୋଧନ ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ କରି ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳଙ୍କୁ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୫୯ କୋଟି ଭୋଟରଙ୍କ ତଥ୍ୟ ସଫଳତାର ସହ ସଂଶୋଧନ କରାଯାଇଥିଲା। ଏହି ପ୍ରକ୍ରିୟାରେ ୬.୩ ଲକ୍ଷରୁ ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ୯.୨ ଲକ୍ଷ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ ହୋଇଥିଲେ।




