କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ Mamata Banerjeeଙ୍କୁ ଗୁରୁବାର କୋଲକାତା ହାଇକୋର୍ଟରେ ଓକିଲଙ୍କ ପୋଷାକରେ ଦେଖିବାକୁ ମିଳିଥିଲା। ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସେ ନିଜେ କୋର୍ଟରେ ଉପସ୍ଥିତ ହୋଇ ଓକିଲାତି କରିଥିଲେ। ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନର ଅନ୍ତ ପରେ ଦଳୀୟ କାର୍ଯ୍ୟାଳୟ ଓ କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ନେଇ ଶୀର୍ଷଣ ବନ୍ଦୋପାଧ୍ୟାୟଙ୍କ ଦ୍ୱାରା ଏହି ମାମଲା ଦାୟର କରାଯାଇଥିଲା।

ତୃଣମୂଳ କଂଗ୍ରେସ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କରାଯାଇଥିବା ଏକ ପୋଷ୍ଟରେ କୁହାଯାଇଛି ଯେ, କୋର୍ଟରେ ମମତାଙ୍କ ଉପସ୍ଥିତି ତାଙ୍କର ଲୋକମାନଙ୍କ ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ସତ୍ୟ, ନ୍ୟାୟ ଓ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ସେ ଅଟୁଟ ଅଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।

ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀ ସଦା ତାଙ୍କର ସ୍ୱତନ୍ତ୍ର ଭାବମୂର୍ତ୍ତୀ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଓକିଲ ଭାବେ କୋର୍ଟରେ ନିଜ ପକ୍ଷ ରଖିଥିଲେ। କିନ୍ତୁ ବିଧାନସଭା ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା ପ୍ରସଙ୍ଗରେ ତାଙ୍କର ସିଧାସଳଖ ହାଜିରାକୁ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।

ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ମମତା ବାନାର୍ଜୀ କୋଲକାତା ହାଇକୋର୍ଟରେ ପହଞ୍ଚିଥିଲେ। ତାଙ୍କ ସହ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓ ବରିଷ୍ଠ ନେତା କଲ୍ୟାଣ ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟ ବିଚାରପତି ସୁଜୋୟ ପଲ୍ ଓ ବିଚାରପତି ପାର୍ଥସାରଥୀ ସେନଙ୍କୁ ନେଇ ଗଠିତ ଖଣ୍ଡପୀଠ ତୁରନ୍ତ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ।