ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ଅଭାବକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ କୌଣସି ପ୍ରକାର ତେଲ ସଙ୍କଟ ନାହିଁ ଏବଂ ଯଥେଷ୍ଟ ପରିମାଣର ଇନ୍ଧନ ମହଜୁଦ ଅଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ଗୁରୁବାର ଜନସାଧାରଣଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି।

ରାଜ୍ୟର ମୋଟ ୨୮୦୦ରୁ ଅଧିକ ପେଟ୍ରୋଲ ପମ୍ପ ମଧ୍ୟରୁ ମାତ୍ର ୨୦ ରୁ ୨୨ଟି ଟାଙ୍କିରେ ସାମୟିକ ଭାବେ ତେଲ ଶେଷ ହୋଇଥିବା (Dry-out) ସୂଚନା ମିଳିଛି। ଏହା କୌଣସି ଷ୍ଟକ୍ ଅଭାବ ପାଇଁ ନୁହେଁ, ବରଂ ଖୁଚୁରା ବିକ୍ରେତାଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ହୋଇଛି। ଲୋକମାନେ ଗୁଜବରେ ପଡ଼ି ପେଟ୍ରୋଲ ପମ୍ପରେ ଅଯଥା ଭିଡ଼ ନକରିବାକୁ ଏବଂ ଆବଶ୍ୟକତାଠାରୁ ଅଧିକ ତେଲ ମହଜୁଦ ନକରିବାକୁ ଅପିଲ୍ କରାଯାଇଛି। ପାନିକ୍ ବାଇଙ୍ଗ୍ ଯୋଗୁଁ ଯୋଗାଣ ଶୃଙ୍ଖଳା ଉପରେ ଚାପ ପଡ଼ିପାରେ। ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗର କୌଣସି ଆଧାର ନାହିଁ ବୋଲି ସଚିବ କହିଛନ୍ତି। ରାଜ୍ୟରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି।

ସରକାରଙ୍କ କହିବା ଅନୁସାରେ, ତେଲ ଯୋଗାଣ ପ୍ରକ୍ରିୟାର ନିରନ୍ତର ମନିଟରିଂ କରାଯାଉଛି। କୌଣସି ସ୍ଥାନରେ ଯଦି ତେଲ ସରିଯାଉଛି, ତେବେ ତୁରନ୍ତ ସେଠାରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଏପରିକି ଜିଲ୍ଲାପାଳମାନଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମାନ୍ୟ ପରିବହନ ବିଳମ୍ବ ବା ଷ୍ଟକ୍ ସମନ୍ୱୟ ଅଭାବରୁ ପେଟ୍ରୋଲ ପମ୍ପ ଖାଲି ହେବା ଏକ ସାଧାରଣ ପ୍ରକ୍ରିୟା। ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ।