ଭୁବନେଶ୍ୱର: ସାବିତ୍ରୀ ଅମାବାସ୍ୟା ପୂର୍ବରୁ ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କୁ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ Mohan Charan Majhi ଶୁକ୍ରବାର ମହଙ୍ଗାଭତ୍ତା (ଡିଏ)ରେ ୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାଫଳରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମୋଟ ଡିଏ ୫୮ ପ୍ରତିଶତରୁ ବୃଦ୍ଧି ପାଇ ୬୦ ପ୍ରତିଶତକୁ ପହଞ୍ଚିବ।
ସରକାରଙ୍କ ଘୋଷଣା ଅନୁଯାୟୀ, ବୃଦ୍ଧି ପାଇଥିବା ଏହି ମହଙ୍ଗାଭତ୍ତା ୨୦୨୬ ଜାନୁଆରି ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ। କର୍ମଚାରୀମାନେ ଚଳିତ ମଇ ମାସର ଦରମାରେ ଏହାର ନଗଦ ସୁବିଧା ପାଇବେ। ସେହିପରି ପେନ୍ସନଭୋଗୀଙ୍କ ଟିଆଇରେ ମଧ୍ୟ ୨ ପ୍ରତିଶତ ବୃଦ୍ଧି କରାଯାଇଛି ଏବଂ ସେମାନେ ମଧ୍ୟ ମଇ ମାସର ପେନ୍ସନ ସହ ବୃଦ୍ଧିତ ରାଶି ପାଇବେ।
ସରକାରୀ ସୂଚନା ଅନୁସାରେ, ଏହି ନିଷ୍ପତ୍ତିରୁ ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ। ଇରାନ-ଆମେରିକା ଯୁଦ୍ଧ ପରିସ୍ଥିତି ଯୋଗୁଁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଥିବାବେଳେ ଏହି ଡିଏ ବୃଦ୍ଧି କର୍ମଚାରୀଙ୍କୁ କିଛି ପରିମାଣରେ ଆର୍ଥିକ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି।




