ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୋରାଦାବାଦରେ ଚିକିତ୍ସା ବିଜ୍ଞାନର ଏକ ବିରଳ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ୫ ଦିନ ମଧ୍ୟରେ ୪ଟି ସନ୍ତାନ (ଦୁଇଟି ପୁଅ ଓ ଦୁଇଟି ଝିଅ)ଙ୍କୁ ଜନ୍ମ ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ‘ହାଇ-ରିସ୍କ’ ବା ଅତ୍ୟନ୍ତ ସମ୍ବେଦନଶୀଳ ଗର୍ଭାବସ୍ଥା ସତ୍ତ୍ୱେ କୌଣସି ସିଜରିଆନ୍ (Caesarean) ନକରି ସମସ୍ତ ପିଲାଙ୍କର ନର୍ମାଲ ଡେଲିଭରି କରାଯାଇଛି। ମୋରାଦାବାଦର ତୀର୍ଥଙ୍କର ମହାବୀର ୟୁନିଭର୍ସିଟି (TMU) ହସ୍ପିଟାଲର ଡାକ୍ତରମାନେ ଏହାକୁ ଏକ ଅସାଧାରଣ ମେଡିକାଲ ମିରାକଲ୍ ବୋଲି ଅଭିହିତ କରିଛନ୍ତି।
ସମ୍ଭଲ ଜିଲ୍ଲା ଓଭାରି ଗ୍ରାମର ବାସିନ୍ଦା ଅମିନା ଗତ ମେ ୯ ତାରିଖରେ ତାଙ୍କର ପ୍ରଥମ ସନ୍ତାନ (ପୁଅ)କୁ ଜନ୍ମ ଦେଇଥିଲେ। ଏହାପରେ ଡାକ୍ତରମାନେ ବାକି ଭ୍ରୂଣଗୁଡ଼ିକୁ ଗର୍ଭରେ ବିକଶିତ ହେବା ପାଇଁ ସମୟ ଦେଇଥିଲେ ଏବଂ ପ୍ରସବକୁ କିଛି ଦିନ ସ୍ଥଗିତ ରଖିଥିଲେ। ଏହାର ୫ ଦିନ ପରେ ଅର୍ଥାତ୍ ମେ ୧୪ ତାରିଖରେ ଅମିନା ପୁଣିଥରେ ପ୍ରସବ ବେଦନା ଅନୁଭବ କରିବା ପରେ ବାକି ୩ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ।
ଡାକ୍ତରୀ ଦଳର ନେତୃତ୍ୱ ନେଉଥିବା ଡାକ୍ତର ଶୁଭ୍ରା ଅଗ୍ରୱାଲ କହିଛନ୍ତି ଯେ, ଏହି ହସ୍ପିଟାଲରେ ପ୍ରାକୃତିକ ଉପାୟରେ ଚତୁର୍ଥାଂଶ (Quadruplets) ଜନ୍ମ ହେବାର ଏହା ପ୍ରଥମ ମାମଲା। ଗର୍ଭାବସ୍ଥାର ତୃତୀୟ ମାସରେ ଅଲଟ୍ରାସାଉଣ୍ଡରୁ ୪ଟି ଗର୍ଭସ୍ଥ ଶିଶୁ ଥିବା ଜଣାପଡ଼ିବା ପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଅମିନାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ବିପଦକୁ ଏଡ଼ାଇବା ପାଇଁ ଡାକ୍ତରମାନେ ଗର୍ଭସ୍ଥ ଶିଶୁ ସଂଖ୍ୟା କମାଇବାକୁ (Fetal Reduction) ପରାମର୍ଶ ଦେଇଥିଲେ, ମାତ୍ର ପରିବାର ଲୋକେ ସମସ୍ତ ପିଲାଙ୍କୁ ଜନ୍ମ ଦେବାକୁ ନିଷ୍ପତ୍ତି ନେଇଥିଲେ। ଡାକ୍ତରଙ୍କ ସୂଚନା ଅନୁଯାୟୀ, ଅବଧି ପୂର୍ବରୁ ଜନ୍ମ ଏବଂ କମ୍ ଓଜନ ଯୋଗୁଁ ପ୍ରଥମେ ଜନ୍ମ ହୋଇଥିବା ଶିଶୁଟିର ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ଅବଶିଷ୍ଟ ୩ଟି ନବଜାତ ଶିଶୁଙ୍କ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଅନ୍ୟ ଦୁଇଜଣଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ସେବା ଯୋଗାଇ ଦିଆଯାଉଛି। ପ୍ରସୂତି ଅମିନାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସୁଛି। ଅମିନାଙ୍କ ସ୍ୱାମୀ ମହମ୍ମଦ ଆଲିମ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି।




