ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ପୁଣିଥରେ ତିକ୍ତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଯଦି ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକରେ, ତେବେ ଦେଶର ଇତିହାସ ଓ ଭୂଗୋଳ ଦୁହିଁ ବଦଳିଯାଇପାରେ।

ଏକ ‘ସେନା ସଂଳାପ’ କାର୍ଯ୍ୟକ୍ରମରେ ପାକିସ୍ତାନର ଉସକାନିମୂଳକ କାର୍ଯ୍ୟକଳାପ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଜେନେରାଲ ଦ୍ୱିବେଦୀ ଏହି କଡ଼ା ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଭାରତ ଅପରେସନ ‘ସିନ୍ଦୂର’ ମାଧ୍ୟମରେ ବିଶ୍ୱକୁ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଦେଶର ସୁରକ୍ଷା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ଭାରତ ପ୍ରସ୍ତୁତ ଅଛି।

କାର୍ଯ୍ୟକ୍ରମରେ ସେନା ମୁଖ୍ୟ ସୈନିକମାନଙ୍କ ତ୍ୟାଗ ଓ ସମର୍ପଣକୁ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଜଣେ ସାମରିକ ଅଧିକାରୀ ପାଇଁ ସବୁଠୁ ଗର୍ବର ମୁହୂର୍ତ୍ତ ହେଉଛି ଯେତେବେଳେ ସୈନିକମାନେ ତାଙ୍କ ଉପରେ ପୂର୍ଣ୍ଣ ଭରସା ପ୍ରକାଶ କରନ୍ତି। ସଫଳ ଅପରେସନ ପରେ ସୈନିକମାନଙ୍କ ସହ ଥିବା ଭାବନାତ୍ମକ ସମ୍ପର୍କକୁ ସେ ସେନା ଜୀବନର ସବୁଠୁ ବିଶେଷ ଅନୁଭବ ବୋଲି ବର୍ଣ୍ଣନା କରିଥିଲେ।

ଜେନେରାଲ ଦ୍ୱିବେଦୀ କହିଥିଲେ ଯେ, ସୀମା ଓ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ନିଯୁକ୍ତ ସୈନିକମାନେ ପରିବାରରୁ ଦୀର୍ଘ ସମୟ ଦୂରେ ରହିଥାନ୍ତି। ବହୁ ସମୟରେ ସେମାନେ ପରିବାରର ବିବାହ କିମ୍ବା ନିଜ ସନ୍ତାନଙ୍କ ଜନ୍ମ ସମୟରେ ମଧ୍ୟ ଉପସ୍ଥିତ ରହିପାରନ୍ତି ନାହିଁ। ସୈନିକମାନଙ୍କ ଏହି ସମସ୍ୟାକୁ କମାଇବା ପାଇଁ ସେନା ପକ୍ଷରୁ ପ୍ରୟାସ ଚାଲିଥିବା ସେ କହିଛନ୍ତି।