ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱସ୍ତରରେ ତୈଳ ସଙ୍କଟ ନେଇ ଆଶଙ୍କା ବଢ଼ୁଥିବା ବେଳେ ରାଜ୍ୟରେ ତେଲ କଳାବଜାରୀ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫୦୫ ଲିଟର ଅବୈଧ ଡିଜେଲ ଜବତ କରାଯାଇଛି।

ଯୋଗାଣ ମନ୍ତ୍ରୀ ଓ ଯୋଗାଣ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ରେ ଜିଲ୍ଲା ଯୋଗାଣ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ ଓ ବାଲିଅନ୍ତା-ବାଲିପାଟଣା ଯୋଗାଣ ନିରୀକ୍ଷକମାନେ ସାମିଲ ଥିଲେ। ଟିମ୍‌ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ପେଟ୍ରୋଲ ପମ୍ପ ଏବଂ ଅବୈଧ ତେଲ ଗଚ୍ଛିତ କେନ୍ଦ୍ରଗୁଡ଼ିକରେ ଅଚମ୍କା ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ହୀରାପୁରର ନିରଞ୍ଜନ ନାୟକ, ଧାନହରାର ବୁଲୁ ପ୍ରଧାନ ଓ ପୂରଣ ପ୍ରଧାନ, ସୁଶାନ୍ତ କୁମାର ଚୌଧୁରୀ, ନୂଆପାଟଣାର ତପନ କୁମାର ସାହୁ ଏବଂ ବନମାଳିପୁରର ଅଜୟ ସାହୁଙ୍କ ନିକଟରୁ ୫୦୫ ଲିଟର ଡିଜେଲ ଜବତ କରାଯାଇଥିଲା। ସେମାନଙ୍କ ପାଖରେ କୌଣସି ବୈଧ ବିତରକ ଲାଇସେନ୍ସ କିମ୍ବା ଅଗ୍ନିଶମ ବିଭାଗର ଅନୁମତିପତ୍ର ନଥିବା ଜଣାପଡ଼ିଛି।

ତଦନ୍ତରେ ଜଣାପଡ଼ିଛି ଯେ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ଡିଜେଲକୁ ଲିଟର ପିଛା ୧୪୦ ଟଙ୍କା ଦରରେ ବିକ୍ରୟ କରାଯାଉଥିଲା। ଚଢ଼ାଉ ବେଳେ ଡିଜେଲ ମାପିବା ଓ ସଂରକ୍ଷଣ ପାଇଁ ବ୍ୟବହୃତ ପଳା, କାହାଳୀ ସହିତ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଏହାସହ କେତେକ ପେଟ୍ରୋଲ ପମ୍ପରେ ତେଲ ମଜୁତ ନଥିବା ଦେଖି ସେଗୁଡ଼ିକୁ ତୁରନ୍ତ ତେଲ ଆଣି ବିକ୍ରୟ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପମ୍ପଗୁଡ଼ିକରେ ତ୍ରୁଟି ଧରାପଡ଼ିଛି, ସେଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବନ୍ଧିତ ବିତରକ କମ୍ପାନୀମାନଙ୍କୁ ସୁପାରିସ କରାଯାଇଛି।

ଚଢ଼ାଉ ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ର ମିଶ୍ର, ସହାୟକ ଯୋଗାଣ ଅଧିକାରୀ ସୁନୀତା ବେହେରା, ବାଲିଅନ୍ତା ଯୋଗାଣ ନିରୀକ୍ଷକ ଅଳକାରାଣୀ ମଲିକ ଓ ବାଲିପାଟଣା ଯୋଗାଣ ନିରୀକ୍ଷକ ନେତ୍ରାନନ୍ଦ ବେହେରା ଉପସ୍ଥିତ ଥିଲେ।