ବ୍ରହ୍ମପୁର: ରାଜ୍ୟରେ ବଢୁଥିବା ସଙ୍ଗଠିତ ଅପରାଧକୁ ଦମନ କରିବା ପାଇଁ ପୁଲିସ ତତ୍ପରତା ବଢାଇଥିବା ବେଳେ ବ୍ରହ୍ମପୁରରେ ଏକ ବଡ଼ ଏନ୍କାଉଣ୍ଟର୍ ଘଟଣା ସାମ୍ନାକୁ ଆସିଛି। ଲାଞ୍ଜିପଲ୍ଲୀ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଲିପୁନା ନାୟକଙ୍କୁ ଶନିବାର ରାତିରେ ପୁଲିସ ଗୁଳି କରି ଆହତ କରିଛି। ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଲିପୁନା ନାୟକ ଦୀର୍ଘଦିନ ଧରି ପୁଲିସର ରାଡାରରେ ଥିଲେ। ତାଙ୍କ ନାମରେ ବିଭିନ୍ନ ଥାନାରେ ୧୨ରୁ ଅଧିକ ଅପରାଧିକ ମାମଲା ରହିଛି। ଶନିବାର ରାତିରେ ପୁଲିସ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ଖସିଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେ ପୁଲିସ ଉପରେ ଗୁଳି ଚଳାଇଥିବାରୁ ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ଲିପୁନା ଗୁଳିବିଦ୍ଧ ହୋଇଥିଲେ।
ପୁଲିସ କହିଛି ଯେ, ଲିପୁନା ପୂର୍ବରୁ ମଧ୍ୟ ଅନେକଥର ପୁଲିସକୁ ଚକମା ଦେଇ ଖସିଯାଇଥିଲେ। କିନ୍ତୁ ଏଥର ସେ ପଳାଇବାରେ ସଫଳ ହୋଇପାରିନଥିଲେ। ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି।
ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବରୁ ଝାରସୁଗୁଡାରେ ମଧ୍ୟ ଦୁଇଜଣ ଅପରାଧୀ ପୁଲିସ ଏନ୍କାଉଣ୍ଟରରେ ଆହତ ହୋଇଥିଲେ। ରାଜ୍ୟରେ ଲଗାତର ଅପରାଧିକ ଘଟଣା ବଢୁଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସକୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ବାନ କରିଥିଲେ। ଏହାପରେ ପୁଲିସ ଅପରାଧୀଙ୍କ ବିରୋଧରେ ଅଧିକ ସକ୍ରିୟ ହୋଇଥିବା ନେଇ ଚର୍ଚ୍ଚା ଚାଲିଛି।




