ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ନିକଟରେ କରିଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଶନିବାର ସଫେଇ ଦେଇଛନ୍ତି। କେତେକ ଯୁବକଙ୍କୁ “ଅସରପା” ଓ “ପରଜୀବୀ” ସହ ତୁଳନା କରାଯାଇଥିବା ମନ୍ତବ୍ୟ ପରେ ସୋସିଆଲ୍ ମିଡିଆ ଓ ବିଭିନ୍ନ ମଞ୍ଚରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ ସିଜେଆଇ କହିଛନ୍ତି ଯେ, ତାଙ୍କ କଥାକୁ ଭୁଲ ଭାବେ ପ୍ରଚାର କରାଯାଇଛି ଏବଂ ସେ କେବେବି ସମଗ୍ର ଯୁବପିଢ଼ିଙ୍କୁ ଅପମାନ କରିନଥିଲେ।

ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଗତକାଲି ଏକ ଅସାମାନ୍ୟ ମାମଲାର ଶୁଣାଣି ସମୟରେ ସେ ଆଇନ, ଗଣମାଧ୍ୟମ ଓ ଅନ୍ୟାନ୍ୟ ସମ୍ମାନଜନକ ବୃତ୍ତିରେ ଜାଲ୍‌ ଡିଗ୍ରି ମାଧ୍ୟମରେ ପ୍ରବେଶ କରୁଥିବା କେତେକ ବ୍ୟକ୍ତିଙ୍କୁ ଉଦ୍ଦେଶ୍ୟ କରି ଏହି ମନ୍ତବ୍ୟ ଦେଇଥିଲେ। ତାଙ୍କ କଥାକୁ ଦେଶର ସମସ୍ତ ଯୁବପିଢ଼ିଙ୍କ ସମାଲୋଚନା ଭାବେ ପ୍ରଦର୍ଶନ କରାଯିବା ଦୁଃଖଦ ଓ ଭିତ୍ତିହୀନ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଦେଶର ଯୁବପିଢ଼ି ଉପରେ ସେ ଗର୍ବ କରନ୍ତି ଏବଂ ସେମାନଙ୍କୁ “ବିକଶିତ ଭାରତ”ର ମୁଖ୍ୟ ସ୍ତମ୍ଭ ଭାବେ ଦେଖନ୍ତି। କେତେକ ଗଣମାଧ୍ୟମ ତାଙ୍କର ମୌଖିକ ଟିପ୍ପଣୀକୁ ପ୍ରସଙ୍ଗରୁ ଅଲଗା କରି ପ୍ରଚାର କରିଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ଓକିଲଙ୍କ ବରିଷ୍ଠ ଆଡଭୋକେଟ୍ ପଦବୀ ସମ୍ବନ୍ଧୀୟ ଏକ ଆବେଦନର ଶୁଣାଣି କରୁଥିଲେ। ଶୁଣାଣି ସମୟରେ ଆବେଦନକାରୀଙ୍କ ସାମାଜିକ ଗଣମାଧ୍ୟମରେ ବ୍ୟବହୃତ ଭାଷା ଓ ବ୍ୟବହାରକୁ ନେଇ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ।

ପ୍ରଧାନ ବିଚାରପତି କହିଥିଲେ ଯେ, ଯଦି ଦିଲ୍ଲୀ ହାଇକୋର୍ଟ ତାଙ୍କୁ ବରିଷ୍ଠ ଓକିଲ ପଦବୀ ପ୍ରଦାନ କରନ୍ତି, ତେବେ ସୁପ୍ରିମକୋର୍ଟ ତାଙ୍କ ବୃତ୍ତିଗତ ଆଚରଣକୁ ଆଧାର କରି ଏହାକୁ ରଦ୍ଦ କରିପାରିବ। ଏହି ସମୟରେ “ପରଜୀବୀ” ଓ “ଅସରପା ପରି ଯୁବକ” ମନ୍ତବ୍ୟ ଆସିଥିଲା, ଯାହାକୁ ନେଇ ବିବାଦ ଦେଖାଦେଇଥିଲା।

ପରେ ଆବେଦନକାରୀ ଖଣ୍ଡପୀଠଙ୍କୁ କ୍ଷମା ପ୍ରାର୍ଥନା କରି ନିଜ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ମାଗିଥିଲେ ଏବଂ ଖଣ୍ଡପୀଠ ତାହାକୁ ମଞ୍ଜୁର କରିଥିଲେ।

by