ଆଡିଲେଡ୍: ଅଷ୍ଟ୍ରେଲିଆର ଆଡିଲେଡ୍ ସହରରେ ଜଣେ ଭାରତୀୟ ବଂଶୋଦ୍ଭବ ମସାଜ୍ ଥେରାପିଷ୍ଟଙ୍କୁ ୬୧ ଜଣ ମହିଳାଙ୍କ ଯୌନ ଶୋଷଣ ଏବଂ ଗୁପ୍ତ ଭାବେ ଭିଡିଓ ସୁଟିଂ କରିବା ଅଭିଯୋଗରେ କଠୋର ଜେଲ୍ ଦଣ୍ଡ ଦିଆଯାଇଛି। ୩୯ ବର୍ଷୀୟ ସୁମିତ ସତୀଶ ରସ୍ତୋଗୀଙ୍କୁ ଆଡିଲେଡ୍ ଜିଲ୍ଲା ଅଦାଲତ ୧୩ ବର୍ଷ ୧୦ ମାସର କାରାଦଣ୍ଡ ଶୁଣାଇଛନ୍ତି।
ଜିଲ୍ଲା ଅଦାଲତର ବିଚାରପତି କାର୍ମେନ୍ ମାଟିଓ ରସ୍ତୋଗୀଙ୍କ କାର୍ଯ୍ୟକୁ “ଅତ୍ୟନ୍ତ ଶୋଷଣମୂଳକ” ଏବଂ “ନିୟନ୍ତ୍ରଣ ବାହାରେ” ବୋଲି ବର୍ଣ୍ଣନା କରିଥିଲେ। ଅକ୍ଟୋବର ୨୦୨୧ରୁ ଜୁଲାଇ ୨୦୨୨ ମଧ୍ୟରେ ଏକ ସ୍ଥାନୀୟ ମସାଜ୍ ପାର୍ଲରରେ କାମ କରୁଥିବା ସମୟରେ ସେ ମହିଳା ଗ୍ରାହକମାନଙ୍କୁ ଯୌନ ଶୋଷଣ କରିବା ସହ ଗୁପ୍ତରେ ଅଶ୍ଳୀଳ ଭିଡିଓ ସୁଟିଂ କରୁଥିବା ଅଭିଯୋଗ ହୋଇଥିଲା।
ଏହି ମାମଲାରେ ତାଙ୍କ ବିରୋଧରେ ୫୫ଟି ଗୁପ୍ତ ଭିଡିଓ ସୁଟିଂ ଓ ୪୨ଟି ଗୁରୁତର ଅସଦାଚରଣ ସହ ମୋଟ ୯୭ଟି ଅଭିଯୋଗ ରହିଥିଲା। ରସ୍ତୋଗୀ କୋର୍ଟରେ ସମସ୍ତ ଅଭିଯୋଗ ସ୍ୱୀକାର କରିଥିଲେ।
ସୂଚନାଯୋଗ୍ୟ, ରସ୍ତୋଗୀ ୨୦୧୧ ମସିହାରେ ଦିଲ୍ଲୀରୁ ଆଡିଲେଡ୍ ଯାଇଥିଲେ। କୌଣସି ଆନୁଷ୍ଠାନିକ ଯୋଗ୍ୟତା ନଥିଲେ ମଧ୍ୟ ସେ ମସାଜ୍ ଥେରାପି ସେବା ଯୋଗାଉଥିଲେ। ଜୁଲାଇ ୨୦୨୨ରେ ପୁଲିସ ତାଙ୍କୁ ଗିରଫ କରିଥିଲା।
ଶୁଣାଣି ସମୟରେ ଅନେକ ପୀଡ଼ିତା ନିଜର ମାନସିକ ଆଘାତ ବିଷୟରେ କୋର୍ଟକୁ ଜଣାଇଥିଲେ। ଜଣେ ମହିଳା କହିଥିଲେ ଯେ, ହନିମୁନ୍ ସମୟରେ ଘଟିଥିବା ଏହି ଘଟଣା ତାଙ୍କ ଜୀବନର ଖୁସିର ମୁହୂର୍ତ୍ତକୁ ଭୟଙ୍କର ସ୍ମୃତିରେ ପରିଣତ କରିଦେଇଛି।
ମାନସିକ ରୋଗ ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ, ରସ୍ତୋଗୀ “ଭୋୟରିଷ୍ଟିକ୍ ଡିସଅର୍ଡର” ନାମକ ମାନସିକ ସମସ୍ୟାରେ ପୀଡ଼ିତ ଥିଲେ। ତେବେ ଅଦାଲତ ଏହାକୁ ଅପରାଧ ପାଇଁ ଯୁକ୍ତିସଂଗତ କାରଣ ଭାବେ ଗ୍ରହଣ କରିନଥିଲେ।
କୋର୍ଟ ତାଙ୍କ ପାଇଁ ୧୦ ବର୍ଷ ୧୦ ମାସର ଅଣ-ପାରୋଲ ଅବଧି ଧାର୍ଯ୍ୟ କରିଛନ୍ତି। ଏହା ଅନୁଯାୟୀ, ସେ ୨୦୩୫ ପୂର୍ବରୁ ଜେଲରୁ ମୁକ୍ତି ପାଇବାକୁ ଯୋଗ୍ୟ ହେବେ ନାହିଁ। ଜେଲ୍ ଦଣ୍ଡ ସମାପ୍ତ ପରେ ତାଙ୍କୁ ଅଷ୍ଟ୍ରେଲିଆରୁ ଭାରତକୁ ଦେଶାନ୍ତର କରାଯିବାର ସମ୍ଭାବନା ରହିଛି।




