ଲକ୍ଷ୍ନୌ: ଦେଶରେ ଇନ୍ଧନ ବ୍ୟବହାର ଓ ଟ୍ରାଫିକ ସମସ୍ୟା କମାଇବା ପାଇଁ ଉତ୍ତର ପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବଡ଼ ବଡ଼ ସଂସ୍ଥା ଓ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ଏବେ ସପ୍ତାହକୁ ୨ ଦିନ ‘ୱର୍କ ଫ୍ରମ୍ ହୋମ୍’ (Work from Home) ବ୍ୟବସ୍ଥା ଲାଗୁ ହେବ। ଏହାସହ କର୍ମଚାରୀଙ୍କ ଯାତାୟାତ ସମୟ ବଦଳାଇବାକୁ ପ୍ରୋତ୍ସାହିତ କରାଯିବ।

ଶ୍ରମ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ଯୋଜନାକୁ ପ୍ରଥମେ ନୋଏଡା, ଗାଜିଆବାଦ ଏବଂ ଲକ୍ଷ୍ନୌ ଭଳି ପ୍ରମୁଖ ସହରରେ କାର୍ଯ୍ୟକାରୀ କରାଯିବ।ଏହି ନୂଆ ନିୟମ ଅନୁଯାୟୀ, ସରକାରୀ ସଂସ୍ଥାଗୁଡ଼ିକ ସେମାନଙ୍କର ଅଧା ବୈଠକ ଓ ସେମିନାର୍‌ ଭର୍ଚୁଆଲ୍‌ ମାଧ୍ୟମରେ କରିବେ। ସେହିପରି ମେଟ୍ରୋ, ସରକାରୀ ବସ୍‌, ଇଲେକ୍ଟ୍ରିକ୍ ଗାଡ଼ି ଏବଂ କାର୍‌ପୁଲିଂ ର ବ୍ୟବହାର ବଢ଼ାଇବାକୁ କୁହାଯାଇଛି।

ଇନ୍ଧନ ଉପରେ ନିର୍ଭରଶୀଳତା କମାଇବାକୁ ଗତ ମେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। କରୋନା ସମୟର ‘ଭର୍ଚୁଆଲ୍ ମିଟିଂ’ ଓ ‘ରିମୋର୍ଟ ୱର୍କ’ ଅଭ୍ୟାସକୁ ପୁଣି ଆପଣାଇବାକୁ ସେ କହିଥିଲେ, ଯାହା ଦ୍ୱାରା ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ କମିବ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ମନ୍ତ୍ରୀମାନଙ୍କ କନଭୟ (ଗାଡ଼ି ସଂଖ୍ୟା) କୁ ମଧ୍ୟ ୫୦ ପ୍ରତିଶତ କମାଇ ଦେଇଛନ୍ତି।