ତିରୁଅନନ୍ତପୁରମ: କେରଳ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) ଐତିହାସିକ ବିଜୟ ହାସଲ କରିବା ପରେ ଭି.ଡି. ସତୀଶନ ସୋମବାର କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ ତିରୁଅନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ଆୟୋଜିତ ଭବ୍ୟ ସମାରୋହରେ ସେ ନିଜ କ୍ୟାବିନେଟ ସହ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ସତୀଶନଙ୍କୁ ଶପଥପାଠ କରାଇଥିଲେ।

୧୪୦ଟି ବିଧାନସଭା ଆସନରୁ ୟୁଡିଏଫ୍ ୧୦୨ଟି ଆସନ ଜିତି ଶାସନକୁ ଫେରିଛି। ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ, ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଉପସ୍ଥିତ ଥିଲେ। ସେହିପରି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ଯୋଗଦେଇଥିଲେ।

ଏହାସହ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳ, ବିଜେପି କେରଳ ସଭାପତି ରାଜୀବ ଚନ୍ଦ୍ରଶେଖର ଓ ସିପିଆଇ ନେତା ବିନୟ ବିଶ୍ୱମ ପ୍ରମୁଖ ମଧ୍ୟ ସମାରୋହରେ ଉପସ୍ଥିତ ଥିଲେ।

୨୧ ସଦସ୍ୟ ବିଶିଷ୍ଟ କ୍ୟାବିନେଟ

ନୂତନ ସରକାରରେ ସତୀଶନଙ୍କ ସହ ମୋଟ ୨୧ ଜଣ ସଦସ୍ୟଙ୍କୁ ନେଇ କ୍ୟାବିନେଟ ଗଠନ କରାଯାଇଛି। ଏଥିରେ ଆଞ୍ଚଳିକ ଓ ମେଣ୍ଟ ସନ୍ତୁଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। କ୍ୟାବିନେଟରେ ଦୁଇଜଣ ମହିଳା ଓ ଅନୁସୂଚିତ ଜାତି ସମ୍ପ୍ରଦାୟର ଦୁଇଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି। ସେହିପରି ୧୪ ଜଣ ନବନିର୍ବାଚିତ ବିଧାୟକଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।

ମେଣ୍ଟର ମୁଖ୍ୟ ସହଯୋଗୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍‌ (IUML) କୁ ପାଞ୍ଚଟି କ୍ୟାବିନେଟ ପଦ ମିଳିଛି। IUML ପକ୍ଷରୁ ସୂଚନା ଦିଆଯାଇଛି ଯେ ସରକାରର ଅଧା କାର୍ଯ୍ୟକାଳ ପରେ ପ୍ରବୀଣ ନେତା ପରକ୍କଲ୍ ଅବଦୁଲ୍ଲାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ।