ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରେ ଜଣେ ପ୍ରଧାନ ଶିକ୍ଷକ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଚଡାଇଗୁଆଁ ସ୍ଥିତ ଯୁଗରୂପା ବିଦ୍ୟାଭବନ ହାଇସ୍କୁଲର ପ୍ରଧାନଶିକ୍ଷକ ରଘୁନାଥ ଦାସଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।

ଅଭିଯୋଗ ଅନୁସାରେ, ସେହି ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବକେୟା ଦରମା ଆଦାୟ ପାଇଁ ପଦକ୍ଷେପ ନେବା ନାମରେ ପ୍ରଧାନଶିକ୍ଷକ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ସମ୍ପୃକ୍ତ କର୍ମଚାରୀ ଅଗଷ୍ଟ ୨୦୨୫ରେ ଚାକିରିରେ ଯୋଗଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦରମା ପାଇନଥିବା ଜଣାପଡ଼ିଛି।

ଦରମା ମୁକ୍ତି ପାଇଁ ଲାଞ୍ଚ ଦାବି

କର୍ମଚାରୀଜଣକ ତାଙ୍କ ଉପସ୍ଥାନ ପତ୍ର ଡିଇଓ କାର୍ଯ୍ୟାଳୟରେ ଦାଖଲ କରି ଦରମା ମୁକ୍ତି ପାଇଁ ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରୁଥିଲେ। କିନ୍ତୁ ଅଭିଯୁକ୍ତ ରଘୁନାଥ ଦାସ ଏହା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଲାଞ୍ଚ ଦାବିରେ ଅତିଷ୍ଠ ହୋଇ କର୍ମଚାରୀଜଣକ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସ ଏକ ଯୋଜନାବଦ୍ଧ ଚଢ଼ାଉ କରି ପ୍ରଧାନଶିକ୍ଷକଙ୍କୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଥିଲା।

ଲାଞ୍ଚ ଟଙ୍କା ଜବତ

ଭିଜିଲାନ୍ସ ଟିମ୍‌ ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ୫ ହଜାର ଟଙ୍କା ଜବତ କରିଛି। ଘଟଣାରେ ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି।