ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌)ରେ ନୂଆ ଦଳ ଯୋଡ଼ାଯିବାକୁ ନେଇ ବର୍ତ୍ତମାନ ପାଇଁ କୌଣସି ଯୋଜନା ନଥିବା ବିସିସିଆଇ ସ୍ପଷ୍ଟ କରିଥିଲେ ମଧ୍ୟ, ଏହି ଲିଗ୍‌ରେ ନିବେଶ କରିବାକୁ ଆଗ୍ରହ ବଢ଼ିବାରେ ଲାଗିଛି। ଆଇପିଏଲ୍‌ ଫ୍ରାଞ୍ଚାଇଜି ପଞ୍ଜାବ କିଙ୍ଗ୍‌ସର ଅନ୍ୟତମ ମାଲିକ ମୋହିତ ବର୍ମନ ଡବ୍ଲୁପିଏଲ୍‌ରେ ଏକ ଦଳ କିଣିବା ପାଇଁ ନିଜ ଇଚ୍ଛା ପ୍ରକାଶ କରିଛନ୍ତି।

ମୋହିତ ବର୍ମନ କହିଛନ୍ତି ଯେ, ଅତ୍ୟନ୍ତ କମ ସମୟ ମଧ୍ୟରେ ଡବ୍ଲୁପିଏଲ୍‌ ମହିଳା କ୍ରିକେଟ୍‌ ପାଇଁ ଏକ ବଡ଼ ମଞ୍ଚରେ ପରିଣତ ହୋଇଛି। ମହିଳା କ୍ରିକେଟ୍‌ର ଲୋକପ୍ରିୟତା ଏବଂ ବ୍ୟବସାୟିକ ସମ୍ଭାବନା ଦ୍ରୁତ ଗତିରେ ବଢ଼ୁଥିବାରୁ ଏହାର ଭବିଷ୍ୟତ ଉଜ୍ଜଳ ବୋଲି ସେ ମତ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ପୂର୍ବରୁ ଆମେ ଏଥିରେ ନିବେଶ କରିନଥିଲୁ ବୋଲି ଏହା ନୁହେଁ ଯେ ଆମର ମହିଳା କ୍ରିକେଟ୍‌ ପ୍ରତି ଆଗ୍ରହ ନାହିଁ। ବ୍ୟକ୍ତିଗତ ଭାବେ ମୁଁ ମନେ କରେ ମହିଳା କ୍ରିକେଟ୍‌ର ଭବିଷ୍ୟତ ଖୁବ ଭଲ। ଆମେ ଏକ ମହିଳା ଆଇପିଏଲ୍‌ ଦଳ କିଣିବାକୁ ପସନ୍ଦ କରିବୁ।”

ବର୍ତ୍ତମାନ ଡବ୍ଲୁପିଏଲ୍‌ରେ ପାଞ୍ଚଟି ଫ୍ରାଞ୍ଚାଇଜି ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ତିନୋଟି ଦଳ ଆଇପିଏଲ୍‌ ଫ୍ରାଞ୍ଚାଇଜି ସହ ସଂପୃକ୍ତ ଅଛି। ସେଗୁଡ଼ିକ ହେଲା ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ। ଅନ୍ୟ ଦୁଇଟି ଦଳ ଗୁଜରାଟ ଜାୟାଣ୍ଟ୍ସ ଓ ୟୁପି ୱାରିୟର୍ସ କୌଣସି ଆଇପିଏଲ୍‌ ଫ୍ରାଞ୍ଚାଇଜି ସହ ସିଧାସଳଖ ଭାବେ ଜଡିତ ନୁହନ୍ତି।

ଏହି ମଧ୍ୟରେ ଅନ୍ୟ ଆଇପିଏଲ୍‌ ଫ୍ରାଞ୍ଚାଇଜିମାନେ ମଧ୍ୟ ଡବ୍ଲୁପିଏଲ୍‌ରେ ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସର ସିଇଓ କାଶୀ ବିଶ୍ୱନାଥନ ମଧ୍ୟ ଡବ୍ଲୁପିଏଲ୍‌ ଦଳ କିଣିବା ନେଇ ସକାରାତ୍ମକ ମତ ଦେଇଥିଲେ।