ଭୁବନେଶ୍ୱର: ରାଜ୍ୟରେ ତହସିଲ୍ ସେବାକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ଗ୍ରାମ ଓ ପଞ୍ଚାୟତସ୍ତରରେ ତହସିଲ୍ କ୍ୟାମ୍ପ୍ କୋର୍ଟ ଆୟୋଜନ କରାଯିବ। ଏହି କ୍ୟାମ୍ପ୍ କୋର୍ଟ ମାଧ୍ୟମରେ ଗାଁଗାଁରେ ଲୋକଙ୍କ ସମସ୍ୟାର ସମାଧାନ କରାଯିବା ସହ ବିଭିନ୍ନ ରାଜସ୍ୱ ସେବା ପ୍ରଦାନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ Suresh Pujari ନିର୍ଦ୍ଦେଶ ଦେଇଛନ୍ତି।

ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ବିଗତ ଦୁଇ ବର୍ଷରେ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରାଯାଇଥିଲା। ବୈଠକରେ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ନୋଡାଲ୍ ଅଫିସର୍ ଭାବେ ନିଯୁକ୍ତ କରାଯିବା ସହ ସେମାନଙ୍କୁ ଜିଲ୍ଲା ଗସ୍ତ କରି ସରକାରୀ ରାଜସ୍ୱ ସେବା ସମ୍ପର୍କରେ ଲୋକମତ ସଂଗ୍ରହ କରିବାକୁ କୁହାଯାଇଛି।

‘ଆମ ଗାଁରେ ଆମ ତହସିଲ୍’ କାର୍ଯ୍ୟକ୍ରମ ଅଧୀନରେ ଖୁବ୍‌ ଶୀଘ୍ର ପଞ୍ଚାୟତ ଓ ଗ୍ରାମସ୍ତରରେ କ୍ୟାମ୍ପ୍ କୋର୍ଟ ଆୟୋଜନ ହେବ। ପୂର୍ବରୁ ବିଭିନ୍ନ କାମ ପାଇଁ ଲୋକମାନଙ୍କୁ ତହସିଲ୍ କାର୍ଯ୍ୟାଳୟକୁ ଯିବାକୁ ପଡୁଥିବା ବେଳେ, ଏବେ ତହସିଲ୍ ଅଧିକାରୀମାନେ ଗାଁକୁ ଯାଇ ପ୍ରଜାଖାତା ସଂଶୋଧନ, ଡିମାର୍କେସନ୍‌ ଓ ଅନ୍ୟାନ୍ୟ ରାଜସ୍ୱ ସେବା ଯୋଗାଇବେ। ଏଥିସହ ଲୋକଙ୍କ ଅଭିଯୋଗ ଶୁଣାଣି କରି ତ୍ୱରିତ ସମାଧାନ ଦିଆଯିବ।

ବୈଠକରେ ସହରାଞ୍ଚଳରେ ଚାଷ ଜମି କିସମ ପରିବର୍ତ୍ତନ ନିୟମକୁ ସରଳ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଗତ ଦୁଇ ବର୍ଷରେ ଓଡ଼ିଶା ରାଇଟ୍‌ ଟୁ ପବ୍ଲିକ୍ ସର୍ଭିସେସ୍‌ ଆଇନ୍‌ ଅଧୀନରେ ୨.୫ କୋଟିରୁ ଅଧିକ ରାଜସ୍ୱ ସେବା ପ୍ରଦାନ କରାଯାଇଥିବା ବେଳେ ଏହାକୁ ଆହୁରି ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ବିସ୍ଥାପିତ ଲୋକଙ୍କ ପାଇଁ ନୂତନ ପୁନର୍ବାସ ଓ ଥଇଥାନ ଆଇନର ରୂପରେଖ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼. ଅରବିନ୍ଦ ପାଢ଼ୀ, ଓଏସଡିଏମଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼. କମଳ ଲୋଚନ ମିଶ୍ର ସହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।