ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଗିରି ରୋଡ୍ରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଓ ଯୁବତୀଙ୍କୁ ମଝି ରାସ୍ତାରେ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ବାଡ଼ିରେ ନିର୍ମମ ଭାବେ ପିଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ସମଗ୍ର ଓଡ଼ିଶାରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳର ଉମେଶ ରଥ ବୋଲି ଚିହ୍ନଟ ହୋଇଛନ୍ତି।
ସୂଚନା ଅନୁଯାୟୀ, ଉମେଶ ଓ ଜଣେ ଯୁବତୀ ମୋଟରସାଇକେଲ୍ରେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗାଡ଼ି ଚଳାଚଳ କରୁଥିବା ଏକ ବ୍ୟସ୍ତବହୁଳ ରାସ୍ତାରେ ଉଭୟଙ୍କୁ ତଳେ ପକାଇ ଦୁର୍ବୃତ୍ତମାନେ ବାଡ଼ିରେ ପିଟୁଛନ୍ତି ଏବଂ ଲୋକେ କେବଳ ଠିଆ ହୋଇ ଦେଖୁଛନ୍ତି।
ବ୍ରହ୍ମପୁର ଏସପି ଡି. ଶ୍ରବଣା ବିବେକ ଏମ୍ଙ୍କ ସୂଚନା ଅନୁସାରେ, ଟାଉନ୍ ଥାନା, ବୈଦ୍ୟନାଥପୁର ଥାନା ଏବଂ ଗୋସାଇଁନୂଆଗାଁ ଥାନାର ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆହତ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି।ଏହି ସାଂଘାତିକ ଘଟଣା ସମ୍ପର୍କରେ ଏଡିଜି (ADG) ସୂଚନା ଦେଇଛନ୍ତି ଯେ, ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରାଯାଇ ସାରିଛି।
ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ବ୍ରହ୍ମପୁର ଅଞ୍ଚଳରେ ଏଭଳି ବାରମ୍ବାର ହିଂସାକାଣ୍ଡ ଘଟୁଥିବାରୁ ସାଧାରଣ ଜନତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ସ୍ଥାନୀୟ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରିଛି।




