ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରରେ ଆୟୋଜିତ ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ-୨୦୨୬’ରେ ଓଡ଼ିଶା ସହିତ ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗର କୃଷି ବିକାଶ ପାଇଁ ବ୍ୟାପକ ରୋଡମ୍ୟାପ୍‌ ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ପୂର୍ବ ଭାରତରେ କୃଷି କ୍ଷେତ୍ରରେ ଆଗାମୀ ଦିନରେ ବଡ଼ ପରିବର୍ତ୍ତନ ଆସିବ ଏବଂ ଏହା ଚାଷୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିର ନୂଆ ଦିଗ ଖୋଲିବ।

ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର କୃଷି କ୍ଷେତ୍ରର ଉନ୍ନତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଚଳିତ ବର୍ଷ ଧାନ କ୍ରୟରେ ଓଡ଼ିଶା ରେକର୍ଡ ସୃଷ୍ଟି କରିଛି। କୃଷକଙ୍କୁ ‘ଅନ୍ନଦାତା’ ବୋଲି ଉଲ୍ଲେଖ କରି ସେ କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଓ ଅନୁକୂଳ ଜଳବାୟୁ ଏହି ଅଞ୍ଚଳର କୃଷି ବିକାଶର ମୂଳ ଶକ୍ତି ହେବ।

ବର୍ତ୍ତମାନର ବିଶ୍ୱସ୍ତରୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ଆହ୍ୱାନ କରିଥିଲେ। ପ୍ରତ୍ୟେକ କୃଷକ ନିଜ ଜମିର ଅତିକମରେ ୨୦ ପ୍ରତିଶତ ଅଞ୍ଚଳରେ ପ୍ରାକୃତିକ ଚାଷ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଏହାଦ୍ୱାରା ରାସାୟନିକ ସାର ବ୍ୟବହାର କମିବା ସହ ମାଟିର ଉର୍ବରତା ରକ୍ଷା ପାଇବ ବୋଲି ସେ ମତ ପ୍ରକାଶ କରିଥିଲେ। ନକଲି ସାର ଓ କୀଟନାଶକ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନୂଆ ‘ପେଷ୍ଟିସାଇଡ୍ ଆକ୍ଟ’ ଆଣାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଟିର ସୁରକ୍ଷା ଉପରେ ଜୋର ଦେଇ କହିଥିଲେ ଯେ, ଅଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ମାଟିକୁ ଧୀରେ ଧୀରେ ବିଷାକ୍ତ କରୁଛି। ସେ କହିଥିଲେ, ଶ୍ରୀଜଗନ୍ନାଥ ମହାପ୍ରସାଦ ପ୍ରସ୍ତୁତିରେ ଏବେ ଓଡ଼ିଶାର ଜୈବିକ ଚାଉଳ ବ୍ୟବହାର କରାଯାଉଛି, ଯାହା ରାଜ୍ୟ ପାଇଁ ଗୌରବର ବିଷୟ।

ସେ ଆହୁରି କହିଥିଲେ ଯେ, ବିଲୁପ୍ତପ୍ରାୟ ପାରମ୍ପରିକ ଖାଦ୍ୟ ଶସ୍ୟର ପୁନରୁଦ୍ଧାର ପାଇଁ ବ୍ଲକ୍‌ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ ହୋଇଛି। ସେଥିସହ କୃଷି ଭିତ୍ତିଭୂମିକୁ ଶକ୍ତିଶାଳୀ କରିବା ପାଇଁ ରାଜ୍ୟର ସମସ୍ତ ୫୮ଟି ସବ୍-ଡିଭିଜନରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ସରକାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଥିବା କହିଥିଲେ।

‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ମାଧ୍ୟମରେ କୃଷି କ୍ଷେତ୍ରରେ ନିବେଶ ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଥିବା ବେଳେ, ରାଜ୍ୟର ୧୮୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ (FPO) ଗତ ଦୁଇ ବର୍ଷରେ ୧୨୬ କୋଟି ଟଙ୍କାର କାରବାର କରିଥିବା ସୂଚନା ମିଳିଛି।

କୋରାପୁଟ, କଳାହାଣ୍ଡି ସହ ୬ଟି ଜିଲ୍ଲାରେ ଏକ ଲକ୍ଷ ଏକର ଜମିରେ କଫି ଚାଷର ବିକାଶ କରାଯାଉଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ବଜାରରେ କୋରାପୁଟ କଫିର ସ୍ୱତନ୍ତ୍ର ପରିଚୟ ରହିଛି। ଏହାର ଭଲ ବ୍ରାଣ୍ଡିଂ ମାଧ୍ୟମରେ ଆନ୍ତର୍ଜାତୀୟ ଚାହିଦା ଆହୁରି ବଢ଼ାଯାଇପାରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶର ଅନ୍ୟ ଅଞ୍ଚଳ ତୁଳନାରେ ପୂର୍ବ ଭାରତରେ କୃଷି ଉତ୍ପାଦକତା କମ୍ ଥିବାରୁ ଏହି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି। ଏହି ସମ୍ମିଳନୀ ୫ଟି ରାଜ୍ୟ ମଧ୍ୟରେ ପରସ୍ପର ଅନୁଭୂତି ବିନିମୟ ଓ ଉନ୍ନତ କୃଷି ପ୍ରଣାଳୀ ଗ୍ରହଣରେ ଏକ ବଡ଼ ମଞ୍ଚ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।