ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ସଦ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ମନ୍ତ୍ର ମୁଗ୍ଧ’ (Mantra Muugdha)। ଓଡ଼ିଶାର ସିଲଭର୍ ସ୍କ୍ରିନରେ ଏହି ଫିଲ୍ମଟି ନିଜର ଚମତ୍କାର ଯାଦୁ ଦେଖାଇ ଚାଲିଛି। ଦୁଇ ସପ୍ତାହ ଧରି ପ୍ରେକ୍ଷାଳୟରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ସହ ସିନେମା ହଲ୍ଗୁଡ଼ିକୁ ପ୍ୟାକ୍ କରିବାରେ ସଫଳ ହୋଇଛି ଏହି ଚଳଚ୍ଚିତ୍ର।
ମେ’ ୧ ତାରିଖରେ ମୁକ୍ତିଲାଭ କରିଥିବା ଏହି ଓଡ଼ିଆ ହରର୍-କମେଡି ଫିଲ୍ମରେ ହସ, ଭୟ, ଫାଣ୍ଟାସି, ସଙ୍ଗୀତ ଏବଂ ଆଡଭେଞ୍ଚରର ଏକ ଚମତ୍କାର ମିଶ୍ରଣ ଦେଖିବାକୁ ମିଳିଛି। ରିଲିଜ୍ ହେବାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ଫିଲ୍ମଟି ବକ୍ସ ଅଫିସରେ ପ୍ରାୟ ୩.୦୬ କୋଟି ଟଙ୍କାର ବ୍ୟବସାୟ କରି ସମସ୍ତଙ୍କୁ ଚକିତ କରିଦେଇଛି। ‘ୱାର୍ଡ ଅଫ୍ ମାଉଥ୍’ ଅର୍ଥାତ୍ ଦର୍ଶକଙ୍କ ସକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ପ୍ରତିଦିନ ସିନେମା ହଲ୍ଗୁଡ଼ିକରେ ହାଉସଫୁଲ୍ ଶୋ’ ଦେଖିବାକୁ ମିଳୁଛି ଏବଂ ଏହି କ୍ରେଜ୍ ଆଗକୁ ଆହୁରି ବଢ଼ିବାରେ ଲାଗିଛି।
ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ହାଇ-ଏନର୍ଜି ଏଣ୍ଟରଟେନର ପାଇଁ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ ଏବଂ ପ୍ରଯୋଜିକା ବର୍ଷା ପଟ୍ଟନାୟକ ପ୍ରଶଂସାର ପାତ୍ର ହୋଇଛନ୍ତି। ଫିଲ୍ମର କାହାଣୀ ଶିଶୁ କଳାକାରଙ୍କଠାରୁ ଆରମ୍ଭ କରି ବୟସ୍କ ସିନେପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତ ବର୍ଗର ଦର୍ଶକଙ୍କ ମନକୁ ଛୁଇଁପାରିଛି।
ଫିଲ୍ମରେ ସନୋଜ କୁମାର, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଭୂମିକା ଦାଶ, ସୂର୍ଯ୍ୟମୟୀ ମହାପାତ୍ର ଏବଂ ଦୀପନ୍ୱିତ ଦାସମହାପାତ୍ରଙ୍କ ଭଳି ପ୍ରତିଭାବାନ କଳାକାରମାନେ ଦମଦାର ଅଭିନୟ କରିଛନ୍ତି। ଏହାସହ ଏହାର ସିନେମାଟୋଗ୍ରାଫି, ସଙ୍ଗୀତ ଏବଂ ସସପେନ୍ସରେ ଭରା ସ୍କ୍ରିନପ୍ଲେ ଓଡ଼ିଆ ସିନେମାର ବଦଳୁଥିବା ରୂପରେଖର ଏକ ଉଦାହରଣ ସାଜିଛି। ସମୀକ୍ଷକ ଏବଂ ଦର୍ଶକ ଉଭୟ ଏହାର ବୈଷୟିକ ଜ୍ଞାନକୌଶଳ ଏବଂ ହରର୍-କମେଡିର ପରଫେକ୍ଟ ବାଲାନ୍ସକୁ ବେଶ୍ ପସନ୍ଦ କରିଛନ୍ତି।




