କେନ୍ଦ୍ରାପଡ଼ା/ଭୁବନେଶ୍ୱର: ଆନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଛି ଓଡ଼ିଶାର ସଂସ୍କୃତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନରୱେ ଗସ୍ତ ସମୟରେ ଓସଲୋଠାରେ ଜଣେ ଓଡ଼ିଆ ଯୁବକ ଓଡ଼ିଶାର ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାମିଆଗଞ୍ଜର ନୀଳିମା ପ୍ରଧାନ ଏବଂ ରତିକାନ୍ତ ସାମଲଙ୍କ ପୁଅ କୌସ୍ତୁଭ ସାମଲ। ଓସଲୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୌସ୍ତୁଭଙ୍କୁ ଏହି ସ୍ୱତନ୍ତ୍ର ସୁଯୋଗ ମିଳିଥିଲା।

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଓସଲୋରେ ପ୍ରାୟ ୬୦୦ ଭାରତୀୟ ଏକାଠି ହୋଇଥିଲେ। ଏହି ଅବସରରେ ଭାରତର ପ୍ରତ୍ୟେକ ରାଜ୍ୟର ସଂସ୍କୃତି ପ୍ରଦର୍ଶନ ପାଇଁ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଚୟନ କରାଯାଇଥିଲା। ଓଡ଼ିଶା ପକ୍ଷରୁ କୌସ୍ତୁଭ ସାମଲ ଏବଂ ସାଇନା ନାମ୍ନୀ ଜଣେ ଓଡ଼ିଆ ଯୁବତୀ ପ୍ରତିନିଧିତ୍ୱ କରିଥିଲେ। ଉଭୟ ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧି ସେଠାରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିଥିଲେ।

କୌସ୍ତୁଭ ସମ୍ବଲପୁରୀ କୁର୍ତ୍ତା ପିନ୍ଧିଥିବା ବେଳେ ସାଇନା ଏକ ସୁନ୍ଦର ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲେ।ନିଜର ଏହି ଅଭୁଲା ଅନୁଭୂତି ବାବଦରେ କହି କୌସ୍ତୁଭ ପ୍ରକାଶ କରିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାଧାରଣ ଶୈଳୀ ପରିବର୍ତ୍ତେ ଓଡ଼ିଆରେ “ନମସ୍କାର, ଜୟ ଜଗନ୍ନାଥ” କହି ସ୍ୱାଗତ କରିଥିଲେ, ଯାହା ସେହି ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଦେଇଥିଲା।

ବିଦେଶ ମାଟିରେ ପ୍ରଧାନମନ୍ତ୍ରୀଙ୍କୁ ସେ ସ୍ଵହସ୍ତେ ସ୍ୱାଗତ କରିବା ଏକ ଶବ୍ଦାତୀତ ଅନୁଭୂତି ବୋଲି ସେ କହିଛନ୍ତି। ଏହି ପାରମ୍ପରିକ ଓଡ଼ିଆ ସ୍ୱାଗତ ଏବଂ ପୋଷାକ ସେଠାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ସୂଚନାଯୋଗ୍ୟ, ୟୁରୋପୀୟ ଦେଶଗୁଡ଼ିକ ସହ ବାଣିଜ୍ୟ, ଗବେଷଣା, ସ୍ୱଚ୍ଛ ଶକ୍ତି ଏବଂ ସାମରିକ ସହଯୋଗ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ୫ଟି ଦେଶ ଗସ୍ତର ଏକ ଅଂଶସ୍ୱରୂପ ନରୱେ ଗସ୍ତ କରିଛନ୍ତି।