ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଦା ଗ୍ରାମରେ ଏକ ଅତି ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏକ ଦମ୍ପତିଙ୍କୁ ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଏହି ବର୍ବରକାଣ୍ଡରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆହତ ଦମ୍ପତି ହେଲେ ଚକ୍ରଦା ଗ୍ରାମର ବିଜୟ ବେହେରା ଏବଂ ତାଙ୍କ ପତ୍ନୀ ଆରତୀ ବେହେରା। ନିଆଁରେ ପୋଡ଼ି ହୋଇ ଆରତୀଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ଅଂଶ ଜଳିଯାଇଛି। ବର୍ତ୍ତମାନ ଉଭୟଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତିରେ ରାତ୍ରିଭୋଜନ ସାରି ବିଜୟ ଓ ଆରତୀ ଶୋଇବାକୁ ଯାଇଥିଲେ। ତେବେ ମଧ୍ୟରାତ୍ରିରେ କିଛି ଦୁର୍ବୃତ୍ତ ସେମାନଙ୍କ ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଦମ୍ପତି ଶୋଇଥିବା ବିଛଣା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ନିଆଁର ପ୍ରକୋପରେ ଦମ୍ପତିଙ୍କ ଚିତ୍କାର ଶୁଣି ଆଖପାଖର ପଡ଼ୋଶୀମାନେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେମାନଙ୍କ ଶରୀର ଗଭୀର ଭାବେ ପୋଡ଼ି ଯାଇଥିବାରୁ ଏବଂ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ବାଲେଶ୍ୱରସ୍ଥିତ ଏମ୍ସ (AIIMS) ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏହି ବର୍ବର ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଓ ପ୍ରତିଶୋଧ ରହିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ପୁଅ ପପୁ ସଦର ବ୍ଲକ୍ ଅନ୍ତର୍ଗତ ବଡ଼ଧାନଡ଼ି ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଘରୁ ପଳାଇ ଯାଇଥିଲେ। ଏହି କାରଣରୁ ଯୁବତୀଙ୍କ ପରିବାର ଲୋକେ ଆକ୍ରୋଶ ରଖି ଏଭଳି କାଣ୍ଡ ଭିଆଇଥାଇ ପାରନ୍ତି ବୋଲି ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ଖବର ପାଇ ବସ୍ତା ଥାନା ପୋଲିସ ତୁରନ୍ତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିବା ସହ ପଡ଼ୋଶୀ ଓ ସ୍ଥାନୀୟ ଲୋକଙ୍କ ବୟାନ ରେକର୍ଡ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଏବଂ ଏହି ଜଘନ୍ୟକାଣ୍ଡର ପ୍ରକୃତ କାରଣ ଖୋଜିବା ପାଇଁ ପୋଲିସ ନିଜର ଛାନଭିନ୍ ଜାରି ରଖିଛି।