କାଲିଫର୍ଣ୍ଣିଆ: Meta ପୁଣିଥରେ ବଡ଼ ଧରଣର କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛି। କମ୍ପାନୀର ବିଶ୍ୱସ୍ତରୀୟ କାର୍ଯ୍ୟବଳର ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୮ ହଜାର କର୍ମଚାରୀ ଏହି ପଦକ୍ଷେପରେ ପ୍ରଭାବିତ ହେବେ। ବିଶେଷ କରି ଇଞ୍ଜିନିୟରିଂ ଓ ପ୍ରଡକ୍ଟ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିଛି।
ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ସିଙ୍ଗାପୁର ହବ୍ର କର୍ମଚାରୀଙ୍କୁ ସ୍ଥାନୀୟ ସମୟ ଭୋର ୪ଟାରୁ ଛଟେଇ ସମ୍ପର୍କିତ ଇମେଲ୍ ପଠାଯାଇଥିଲା। ଏହା ସହ ଆମେରିକା ଓ ବ୍ରିଟେନ ସମେତ ଅନେକ ଅଞ୍ଚଳର କର୍ମଚାରୀଙ୍କୁ ସେହି ଦିନ ଘରୁ କାମ କରିବାକୁ କୁହାଯାଇଥିଲା। କମ୍ପାନୀ ପ୍ରାୟ ୬ ହଜାର ନୂତନ ନିଯୁକ୍ତି ପଦବୀକୁ ମଧ୍ୟ ବନ୍ଦ କରିଦେଇଛି।
ମେଟାର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଜାନେଲ ଗେଲଙ୍କ ଆଭ୍ୟନ୍ତରୀଣ ସୂଚନା ଅନୁଯାୟୀ, କମ୍ପାନୀ ଏକ ଛୋଟ ଏବଂ ଅଧିକ କାର୍ଯ୍ୟକ୍ଷମ “ଫ୍ଲାଟର ଷ୍ଟ୍ରକଚର” ତିଆରି କରିବାକୁ ଲକ୍ଷ୍ୟ ରଖିଛି। ଛଟେଇ ସହ ପ୍ରାୟ ୭ ହଜାର କର୍ମଚାରୀଙ୍କୁ ନୂତନ “AI-Native” ଟିମ୍ରେ ସାମିଲ କରାଯିବ।
Mark Zuckerbergଙ୍କ ନେତୃତ୍ୱରେ ମେଟା ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ୧୨୫ରୁ ୧୪୫ ବିଲିୟନ ଡଲାର ପର୍ଯ୍ୟନ୍ତ ବିନିଯୋଗ କରିବା ଯୋଜନାରେ ରହିଛି। ଏହି କାରଣରୁ କମ୍ପାନୀ ପାରମ୍ପରିକ ବିଭାଗରେ କର୍ମଚାରୀ ସଂଖ୍ୟା କମାଇ ଏଆଇ ଉପରେ ଅଧିକ ଗୁରୁତ୍ୱ ଦେଉଛି।
ଏହାପୂର୍ବରୁ କମ୍ପାନୀ ଦ୍ୱାରା କର୍ମଚାରୀଙ୍କ କାମ ଉପରେ ନଜର ରଖିବା ପାଇଁ ବ୍ୟବହୃତ “ମାଉସ୍-ଟ୍ରାକିଂ” ଓ “କୀ-ଷ୍ଟ୍ରୋକ” ସଫ୍ଟୱେରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପ୍ରାୟ ୧ ହଜାରରୁ ଅଧିକ କର୍ମଚାରୀ ଏହା ବିରୋଧରେ ଆପତ୍ତି ଜଣାଇଥିଲେ।
କେବଳ ମେଟା ନୁହେଁ, Oracle, Cisco, Microsoft ଓ Amazon ଭଳି ବଡ଼ ଟେକ୍ କମ୍ପାନୀମାନେ ମଧ୍ୟ ଏଆଇ ଉପରେ ଅଧିକ ଫୋକସ୍ ପାଇଁ ନିଜର କର୍ମଚାରୀ ସଂଖ୍ୟା କମାଇବାର ପଦକ୍ଷେପ ନେଉଛନ୍ତି।




