ଭୁବନେଶ୍ବର: ଓଡ଼ିଶାର ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ମାର୍କ ବଢ଼ାଇବା ପାଇଁ ପ୍ରଥମ ଥର ନୂତନ ସୁଯୋଗ ଦେବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)। ଏହି ବ୍ୟବସ୍ଥା ଅନୁଯାୟୀ, ପରୀକ୍ଷାର୍ଥୀମାନେ କେବଳ ଗୋଟିଏ ବିଷୟରେ ପୁନର୍ବାର ପରୀକ୍ଷା ଦେଇ ନିଜ ମାର୍କ ବୃଦ୍ଧି କରିପାରିବେ। ଜୁଲାଇ ପ୍ରଥମ ସପ୍ତାହରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ପରିଷଦ ସୂଚନା ଅନୁଯାୟୀ, ଏହି ସୁଯୋଗ କେବଳ ୨୦୨୬ ବାର୍ଷିକ ପରୀକ୍ଷା ପାଇଁ ପଞ୍ଜିକୃତ ଓ ସମସ୍ତ ବିଷୟରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ମିଳିବ। ଛାତ୍ରଛାତ୍ରୀମାନେ ଗୋଟିଏ ବିଷୟରେ ପୁନଃ ପରୀକ୍ଷା ଦେଇ ଭଲ ମାର୍କ ହାସଲ କରିପାରିବେ।

ଏହା ସହିତ ଜୁଲାଇ ପ୍ରଥମ ସପ୍ତାହରେ ବାର୍ଷିକ ତତ୍କାଳ ବା ଇନ୍‌ଷ୍ଟାଣ୍ଟ ପରୀକ୍ଷା ମଧ୍ୟ ହେବ। ଏଥିପାଇଁ ଆସନ୍ତା ୨୭ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ। ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ୨୦୨୬ ବାର୍ଷିକ ପରୀକ୍ଷାରେ ପଞ୍ଜିକୃତ ହେବା ଆବଶ୍ୟକ ଥିବାବେଳେ, କେବଳ ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ଏବଂ ସମୁଦାୟ ୨୧୦ କିମ୍ବା ତା’ଠାରୁ ଅଧିକ ମାର୍କ ଥିବା ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିପାରିବେ।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ତ ଗଣ୍ଡ କହିଛନ୍ତି ଯେ, ଏହି ଦୁଇଟି ପରୀକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ ଭଲ ମାର୍କ ରଖିବା ସହ ଜାତୀୟ ସ୍ତରୀୟ ପରୀକ୍ଷାରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିପାରିବେ। ଏହା ସହ ରାଜ୍ୟରେ ଡ୍ରପ୍‌ଆଉଟ୍‌ ହାର ମଧ୍ୟ ହ୍ରାସ ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏପରିକି, ଯୁକ୍ତ୨ ପରୀକ୍ଷାରେ ମାର୍କ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀମାନେ ପୁନଃଯୋଗ ଓ ପୁନଃଯାଞ୍ଚ ପାଇଁ ମଧ୍ୟ ଆବେଦନ କରିପାରିବେ। ଏନେଇ ବିସ୍ତୃତ ବିଜ୍ଞପ୍ତି ଆସନ୍ତା ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ।

ଅନ୍ୟପଟେ, ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ପାଇଁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଫଳ ପ୍ରକାଶ ପରେ ଡିଜିଲକର୍‌ରେ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ପରି ଡିଜିଟାଲ ଏକାଡେମିକ୍‌ ଡକ୍ୟୁମେଣ୍ଟ ଉପଲବ୍ଧ ହେବ। ଏହାସହ ଜୁନ୍‌ ୧୫ ମଧ୍ୟରେ ଛାତ୍ରଛାତ୍ରୀମାନେ ନିଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ହାର୍ଡକପି ସଂଗ୍ରହ କରିପାରିବେ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି।

ସେପଟେ, ଧନ୍ଦାମୂଳକ ଶିକ୍ଷାକୁ ନେଇ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲାର କୌଣସି ଯୁକ୍ତ୨ କଲେଜରୁ ଏଥର ଧନ୍ଦାମୂଳକ ବିଭାଗରେ କେହି ପରୀକ୍ଷା ଦେଇନାହାନ୍ତି। ଏହାସହ ସୁବର୍ଣ୍ଣପୁର, ଅନୁଗୁଳ, ନବରଙ୍ଗପୁର, ନୂଆପଡ଼ା, ନୟାଗଡ଼, ବୌଦ୍ଧ, ଦେବଗଡ଼ ଓ ଝାରସୁଗୁଡ଼ା ଭଳି ଜିଲ୍ଲାରେ ଶହେରୁ କମ୍‌ ଛାତ୍ରଛାତ୍ରୀ ଧନ୍ଦାମୂଳକ ପରୀକ୍ଷା ଦେଇଥିବା ସୂଚନା ମିଳିଛି।