ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ମଧ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ଗୁରୁବାର ସକାଳ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ୫୦-୬୦ କିମି ବେଗରେ ପବନ ବହିବା ଆଶଙ୍କା ଥିବାରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି। ସେହିପରି କଟକ, ସୁନ୍ଦରଗଡ଼ ଓ କୋରାପୁଟ ସମେତ କେତେକ ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି ହୋଇଛି।

ଅନ୍ୟପଟେ ରାଜ୍ୟରେ ତାତିର ପ୍ରକୋପ ମଧ୍ୟ ଜାରି ରହିବ। ଭଦ୍ରକ, ଯାଜପୁର, ଝାରସୁଗୁଡ଼ା ଓ ସମ୍ବଲପୁର ଭଳି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ (Heatwave) ସ୍ଥିତି ଲାଗିରହିବ। ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ସହ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ମେ ୨୬ ସୁଦ୍ଧା କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ପାଣିପାଗ ବିଭାଗ କାଳବୈଶାଖୀ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି।

ବର୍ଷା ସତ୍ତ୍ୱେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ କମିବ ନାହିଁ। ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଏବଂ ନୟାଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ (Heatwave) ସ୍ଥିତି ଲାଗିରହିବ। ସମ୍ବଲପୁର ଓ ବଲାଙ୍ଗୀରରେ ରାତିର ତାପମାତ୍ରା ଅଧିକ ରହିବା ସହ ଉପକୂଳ ଜିଲ୍ଲା ଯଥା ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧାରେ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରି ରହିବ।