ୱାସିଂଟନ:
ଇରାନ ସହିତ ଯୁଦ୍ଧ ସମୟରେ ଆମେରିକା ୪୨ଟି ସାମରିକ ବିମାନ ଓ ଡ୍ରୋନ୍ ହରାଇଥିବା ନେଇ ଏକ ଚର୍ଚ୍ଚିତ ଦାବି ସାମ୍ନାକୁ ଆସିଛି। କଂଗ୍ରେସନାଲ୍ ରିସର୍ଚ୍ଚ ସର୍ଭିସ୍ (ସିଆରଏସ୍) ରିପୋର୍ଟକୁ ଉଦ୍ଧୃତ କରି ଏହି ତଥ୍ୟ ପ୍ରକାଶ ପାଇଥିବା ବେଳେ, ଏହାକୁ ନେଇ ଆମେରିକା ଓ ଆନ୍ତର୍ଜାତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
ରିପୋର୍ଟ ଅନୁଯାୟୀ, ଆମେରିକା ଫେବୃଆରି ୨୮ ତାରିଖରେ ଇରାନ ବିରୋଧରେ “ଅପରେସନ୍ ଏପିକ୍ ଫ୍ୟୁରି” ଆରମ୍ଭ କରିଥିଲା। ଏହି ସାମରିକ ଅଭିଯାନ ସମୟରେ ଇରାନର ବିଭିନ୍ନ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଥିଲା। ପରେ ଇରାନ ପକ୍ଷରୁ ମଧ୍ୟ ପ୍ରତିଆକ୍ରମଣ ହୋଇଥିବା ଦାବି କରାଯାଇଛି।
ଏହି ଯୁଦ୍ଧ ସମୟରେ ଆମେରିକାର କ୍ଷତିଗ୍ରସ୍ତ ବିମାନ ମଧ୍ୟରେ ୪ଟି ଏଫ୍-୧୫ଇ ଷ୍ଟ୍ରାଇକ୍ ଇଗଲ୍, ଗୋଟିଏ ଏଫ୍-୩୫ଏ ଲାଇଟନିଂ-୨, ଗୋଟିଏ ଏ-୧୦ ଥଣ୍ଡରବୋଲ୍ଟ-୨, ୭ଟି କେସି-୧୩୫ ଷ୍ଟ୍ରାଟୋଟାଙ୍କର୍, ଗୋଟିଏ ଇ-୩ ସେଣ୍ଟ୍ରି ଆୱାକ୍ସ, ୨ଟି ଏମ୍ସି-୧୩୦ଜେ କମାଣ୍ଡୋ-୨ ବିମାନ, ଗୋଟିଏ ଏଚ୍ଏଚ୍-୬୦ଡବ୍ଲୁ ହେଲିକପ୍ଟର, ୨୪ଟି ଏମ୍କ୍ୟୁ-୯ ରିପର ଡ୍ରୋନ୍ ଏବଂ ଗୋଟିଏ ଏମ୍କ୍ୟୁ-୪ସି ଟ୍ରାଇଟନ୍ ଡ୍ରୋନ୍ ଥିବା ଉଲ୍ଲେଖ ରହିଛି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ, କ୍ଷତିର ସଂଖ୍ୟା ଆଗାମୀ ଦିନରେ ଆହୁରି ବଢ଼ିପାରେ। ଏହାକୁ ଆମେରିକା ପାଇଁ ବଡ଼ ସାମରିକ ଓ ଆର୍ଥିକ କ୍ଷତି ବୋଲି ବିବେଚନା କରାଯାଉଛି। ପୂର୍ବରୁ ଏହି ଯୁଦ୍ଧରେ ଆମେରିକା ପ୍ରାୟ ୨୯ ବିଲିୟନ ଡଲାରର କ୍ଷତି ସହିଥିବା ମଧ୍ୟ ରିପୋର୍ଟ ଆସିଥିଲା।
ଏହାସହ ରିପୋର୍ଟରେ ଦାବି କରାଯାଇଛି ଯେ, ଦୀର୍ଘଦିନ ଧରି Donald Trump ପ୍ରଶାସନ ଏହି କ୍ଷତିକୁ ସାମ୍ନାକୁ ଆଣିନଥିଲା। ସିଆରଏସ୍ ଆମେରିକା କଂଗ୍ରେସ ଓ ବିଭିନ୍ନ କମିଟିଙ୍କୁ ନୀତିଗତ ଓ ଆଇନଗତ ବିଶ୍ଳେଷଣ ପ୍ରଦାନ କରୁଥିବା ଏକ ସଂସ୍ଥା। ଏହା ଆମେରିକା ପ୍ରତିରକ୍ଷା ବିଭାଗ ଓ ସେଣ୍ଟକମ୍ର ତଥ୍ୟ ଆଧାରରେ ଏହି ଆକଳନ ପ୍ରସ୍ତୁତ କରିଥିବା କୁହାଯାଇଛି।




