ଅହମଦାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ରେ ଗୁଜରାଟ ଟାଇଟନ୍ସ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୮୯ ରନ୍‌ରେ ପରାସ୍ତ କରିଛି। ଏହି ପରାଜୟ ସହିତ ଚେନ୍ନାଇର ପ୍ଲେଅଫ୍‌ ଆଶା ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି। ଗୁଜରାଟର ବ୍ୟାଟର ଓ ବୋଲରମାନେ ଦୁଇ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ବଡ଼ ବିଜୟ ଦେଇଛନ୍ତି।

ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ଓ ଅଧିନାୟକ ଶୁଭମନ ଗିଲ୍‌ ଦଳକୁ ଜୋରଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୧୨୫ ରନ୍‌ର ସାଠିଏଦାରୀ ଗଢ଼ିଥିଲେ।

ଶୁଭମନ ଗିଲ୍‌ ୩୭ଟି ବଲ୍‌ରେ ୬୪ ରନ୍‌ କରିଥିବାବେଳେ ସାଇ ସୁଦର୍ଶନ ୫୩ଟି ବଲ୍‌ରେ ୮୪ ରନ୍‌ର ଦମଦାର ପାରି ଖେଳିଥିଲେ। ଜୋସ୍‌ ବଟଲର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୨୭ଟି ବଲ୍‌ରୁ ୫୭ ରନ୍‌ ସଂଗ୍ରହ କରିଥିଲେ। ଏହାର ଫଳରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୨୩୦ ରନ୍‌ କରିଥିଲା।

୨୩୧ ରନ୍‌ର ବିଶାଳ ଲକ୍ଷ୍ୟ ପଛୁଆ କରୁଥିବା ଚେନ୍ନାଇ ଆରମ୍ଭରୁ ବିପର୍ଯ୍ୟୟରେ ପଡ଼ିଥିଲା। ଦଳ ୫୧ ରନ୍‌ରେ ୪ଟି ୱିକେଟ୍‌ ହରାଇଥିଲା। ସଞ୍ଜୁ ସାମସନ ଖାତା ଖୋଲିପାରିନଥିବାବେଳେ ଋତୁରାଜ ଗାଏକ୍ୱାଡ ୧୬ ଓ ମ୍ୟାଥ୍ୟୁ ସର୍ଟ ୨୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଉର୍ଭିଲ ପଟେଲ ମଧ୍ୟ ଶୂନ୍ୟରେ ପେଭିଲିଅନ୍‌ ଫେରିଥିଲେ।

ଶିଭମ ଦୁବେ କିଛି ସମୟ ପାଇଁ ଦଳକୁ ଆଶା ଦେଇଥିଲେ। ସେ ୧୭ଟି ବଲ୍‌ରେ ୪ଟି ଚୌକା ଓ ୪ଟି ଛକା ସହ ୪୫ ରନ୍‌ କରିଥିଲେ। କିନ୍ତୁ ତାଙ୍କ ଆଉଟ୍‌ ପରେ ଚେନ୍ନାଇର ଜିତିବା ଆଶା ଶେଷ ହୋଇଯାଇଥିଲା। ସମଗ୍ର ଦଳ ୧୩.୪ ଓଭରରେ ୧୪୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା।

ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ, ରସିଦ ଖାନ ଓ କାଗିସୋ ରବାଡା ପ୍ରତ୍ୟେକ ୩ଟି କରି ୱିକେଟ୍‌ ନେଇ ଚେନ୍ନାଇ ବ୍ୟାଟିଂ ଲାଇନ୍‌ଅପ୍‌କୁ ଧ୍ୱସ୍ତ କରିଥିଲେ।