ଭୁବନେଶ୍ୱର: ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ‘ଭୋଟର ହେଲ୍ପଡେସ୍କ’ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ନିର୍ବାଚନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।
ପ୍ରବାସୀ ଶ୍ରମିକ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟରମାନଙ୍କୁ ସହଜରେ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ମେ ୨୫ ତାରିଖ ସୁଦ୍ଧା ଏହିସବୁ ହେଲ୍ପଡେସ୍କଗୁଡ଼ିକୁ କାର୍ଯ୍ୟକ୍ଷମ କରି ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ହେବ ।
ଏହି ହେଲ୍ପଡେସ୍କଗୁଡ଼ିକ ମାଧ୍ୟମରେ ନୂତନ ଭୋଟର ନାମ ପଞ୍ଜୀକରଣ, ସଂଶୋଧନ, ଭୋଟର ତାଲିକାରୁ ନାମ ବାଦ୍ ଦେବା ଏବଂ ପୁରୁଣା ରେକର୍ଡର ଯାଞ୍ଚ କରିବା ପାଇଁ ଅନଲାଇନ୍ ଓ ଅଫଲାଇନ୍ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ବଣ୍ଟନ କରାଯିବ । ଏହା ସହିତ ନିର୍ବାଚନ କମିଶନଙ୍କ ‘୧୯୫୦’ ହେଲ୍ପଲାଇନ ନମ୍ବର ଏବଂ ‘ECINet’ ଆପ୍ର ବହୁଳ ପ୍ରଚାର ପାଇଁ ମଧ୍ୟ ଅଧିକାରୀମାନଙ୍କୁ କୁହାଯାଇଛି ।




