କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସକୁ ଭର୍ତ୍ସନା କଲେ ହାଇକୋର୍ଟ!

ଜୟପୁର: ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ଚୋରି ମାମଲାର ରହସ୍ୟ ଭେଦ କରିବା ପାଇଁ ପୋଲିସ ଜଣେ ତାନ୍ତ୍ରିକର ସହାୟତା ନେବା ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ରାଜସ୍ଥାନ ହାଇକୋର୍ଟ ପୋଲିସକୁ କଡ଼ା ଭର୍ତ୍ସନା କରିଛନ୍ତି । ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଶୁଣାଣି କରି ଜଷ୍ଟିସ ମୁନ୍ନୁରୀ ଲକ୍ଷ୍ମଣ ସ୍ପଷ୍ଟ କରିଛନ୍ତି ଯେ, ଅପରାଧିକ ଅନୁସନ୍ଧାନ କୌଣସି ଅଲୌକିକ କିମ୍ବା ଆଧ୍ୟାତ୍ମିକ ଗୁଜବ ଉପରେ ଆଧାରିତ ହୋଇପାରିବ ନାହିଁ ।

ମାମଲାର ବିବରଣୀ ଅନୁଯାୟୀ, ଗତ ମାର୍ଚ୍ଚ ୭, ୨୦୨୬ ରେ ଜଣେ ଆବେଦନକାରୀଙ୍କ ଘରୁ ବହୁ ପରିମାଣର ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଥିଲା । ତେବେ ଉପଯୁକ୍ତ ପ୍ରମାଣ ଖୋଜିବା ପରିବର୍ତ୍ତେ ହେଡ୍ କନଷ୍ଟେବଳ ରତି ରାମ ଅଭିଯୋଗକାରୀ ଏବଂ କିଛି ଗ୍ରାମବାସୀଙ୍କୁ ନେଇ ଅଲୱାରସ୍ଥିତ ଜଣେ ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ । ସେହି ତାନ୍ତ୍ରିକ ଜଣକ ତୁରନ୍ତ ଆବେଦନକାରୀଙ୍କ ବୋହୂଙ୍କ ବାପା ମୋହନରାମଙ୍କୁ ଏହି ଚୋରି ପାଇଁ ଦୋଷୀ ବୋଲି ଦର୍ଶାଇଥିଲେ, ଯାହାଫଳରେ ପୋଲିସର ତଦନ୍ତ ପ୍ରକ୍ରିୟା ଏକ ଭିନ୍ନ ମୋଡ଼ ନେଇଥିଲା ।

ଆବେଦନକାରୀଙ୍କ ଓକିଲ ମନୋହର ସିଂହ ରାଠୋର କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ପୋଲିସ ତଦନ୍ତ ପାଇଁ କୌଣସି ତାନ୍ତ୍ରିକ କିମ୍ବା ଗୁଣିଆର ସାହାରା ନେବା ଆଇନଗତ ଭାବେ ସମ୍ପୂର୍ଣ୍ଣ ନିଷିଦ୍ଧ । ଏପରିକି ସରକାରୀ ଓକିଲ (Public Prosecutor) ମଧ୍ୟ ପୋଲିସ ଅଧିକାରୀ ଜଣକ ତାନ୍ତ୍ରିକଙ୍କ ଘରକୁ ଯାଇଥିବା କଥାକୁ କୋର୍ଟରେ ସ୍ୱୀକାର କରିଛନ୍ତି ।

ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ହାଇକୋର୍ଟ ଆସନ୍ତା ୧୫ ଦିନ ମଧ୍ୟରେ ଏହି ମାମଲାର ତଦନ୍ତ ଭାର ଅନ୍ୟ ଏକ ଥାନାର ସବ୍-ଇନ୍ସପେକ୍ଟରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନ୍ୟାୟ ପ୍ରଦାନ ପ୍ରକ୍ରିୟା କେବଳ ସତ୍ୟ ଓ ପ୍ରମାଣ ଉପରେ ନିର୍ଭର କରେ, କୌଣସି ଗୁଣିଗାରେଡ଼ି ଉପରେ ନୁହେଁ ବୋଲି କୋର୍ଟ ପୋଲିସକୁ ମନେ ପକାଇ ଦେଇଛନ୍ତି । ହାଇକୋର୍ଟଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ନାଗୌର ପୋଲିସ ବେଶ୍ ଅପଦସ୍ଥ ହୋଇଛି ।