ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଝାଲମୁଢି’ ଖୁଆଇ ଚର୍ଚ୍ଚାକୁ ଆସିଥିବା ପଶ୍ଚିମବଙ୍ଗର ଦୋକାନୀ ବିକ୍ରମ ସାଉଙ୍କୁ ପାକିସ୍ତାନ ଓ ବାଂଲାଦେଶର ବିଭିନ୍ନ ଆନ୍ତର୍ଜାତୀୟ ନମ୍ବରରୁ କ୍ରମାଗତ ଭାବେ ଧମକପୂର୍ଣ୍ଣ କଲ୍ ମିଳୁଛି । ବିକ୍ରମ ଓ ତାଙ୍କ ପରିବାରକୁ ବୋମା ମାଡ଼ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯିବା ପରେ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

ଏ ନେଇ ପୋଲିସରେ ଲିଖିତ ଅଭିଯୋଗ ହୋଇଛି । ଗତ ଏପ୍ରିଲ ୧୯ରେ ଝାରଗ୍ରାମ ରାଲି ସାରି ଫେରିବା ବେଳେ ପିଏମ ମୋଦୀ ହଠାତ୍ ବିକ୍ରମଙ୍କ ଦୋକାନରେ ଅଟକି ଝାଲମୁଢି ଖାଇଥିଲେ ଏବଂ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଘଟଣାକୁ ସେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିର “ପୂର୍ବ ଯୋଜନାବଦ୍ଧ ନାଟକ” କହିବା ପରେ ଟିଏମସି ଓ ବିଜେପି ମଧ୍ୟରେ ତୀବ୍ର ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା ।

ନିର୍ବାଚନ ପରେ ପିଏମ ମୋଦୀ ନେଦରଲ୍ୟାଣ୍ଡସ ଗସ୍ତ ସମୟରେ ମଧ୍ୟ ପ୍ରବାସୀ ଭାରତୀୟମାନଙ୍କୁ ହସି ହସି ପଚାରିଥିଲେ, “ଝାଲମୁଢି ଏଠାରେ ମଧ୍ୟ ପହଞ୍ଚିଗଲାଣି କି?” । ବର୍ତ୍ତମାନ ଏହି ମାମଲା ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଚିନ୍ତାର ବିଷୟ ପାଲଟିଛି ।