ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମନଇଚ୍ଛା ବଦଳି ଉପରେ ଏଣିକି କଟକଣା ଲାଗିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ନିୟମିତ ବ୍ୟବସ୍ଥା ଲାଗୁ କରିବା ପାଇଁ ଏହି ନୂତନ ଗାଇଡଲାଇନ୍ ଜାରି କରାଯାଇଛି।
ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ମାତ୍ର ବଦଳି ପ୍ରକ୍ରିୟା କରାଯିବ। ଏହା ବ୍ୟତୀତ ସଚିବାଳୟ କିମ୍ବା କୌଣସି ନିର୍ଦ୍ଦେଶାଳୟରେ କୌଣସି ଅଧିକାରୀ ତିନି ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ସେହିପରି ବ୍ଲକ କିମ୍ବା ତହସିଲ ସ୍ତରରେ କାର୍ଯ୍ୟରତ ଗ୍ରୁପ-ସି ଅଧିକାରୀମାନେ ଛଅ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ।
ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟରତ ଅଧିକାରୀଙ୍କୁ ନିଜ ଜିଲ୍ଲାକୁ ବଦଳି କରାଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। କେବଳ ନିର୍ଦ୍ଧାରିତ ନିୟମ ଆଧାରରେ ବଦଳି କରାଯିବା ସହ ବଦଳି ଆଦେଶରେ ରିଲିଭ ଓ ଜଏନିଙ୍ଗ୍ ସମୟସୀମା ଉଲ୍ଲେଖ ରହିବା ଅନିବାର୍ୟ କରାଯାଇଛି।
ସାଧାରଣ ପ୍ରଶାସନ ବିଭାଗ କହିଛି ଯେ, ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧ ନିଶ୍ଚିତ କରିବା ପାଇଁ ଏହି ନୂତନ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ।




