ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ Piyush Goyal ଶନିବାର ରାତିରେ Canada ଗସ୍ତରେ ଯାଇଛନ୍ତି। ପ୍ରାୟ ୧୫୦ ଜଣ ବ୍ୟବସାୟ ପ୍ରତିନିଧିଙ୍କୁ ସହ ନେଇ ସେ ଏହି ଗସ୍ତ କରିଛନ୍ତି। ତାଙ୍କର ୨୫ ତାରିଖରେ Ottawa ଏବଂ ୨୬ ଓ ୨୭ ତାରିଖରେ Torontoରେ ବିଭିନ୍ନ ଆଲୋଚନା କାର୍ଯ୍ୟକ୍ରମ ରହିଛି।
କାନାଡା ଗସ୍ତ ପୂର୍ବରୁ ଶ୍ରୀ ଗୋୟଲ ଭାରତ-କାନାଡା ଆର୍ଥିକ ସମ୍ପର୍କ ଓ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ନେଇ ଦୃଢ଼ ଆଶା ପ୍ରକାଶ କରିଛନ୍ତି। ଗତ ମାର୍ଚ୍ଚ ମାସରେ କାନାଡା ପ୍ରଧାନମନ୍ତ୍ରୀ Mark Carneyଙ୍କ ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିର ସର୍ତ୍ତାବଳୀ ଉପରେ ସ୍ୱାକ୍ଷର ହୋଇଥିଲା।
ସେହି ମାସରେ ଆଭାସୀ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିବାବେଳେ ଚଳିତ ମାସ ୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତବର୍ଷ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଅନ୍ତିମ ରୂପ ଦେବା ପାଇଁ ଉଭୟ ଦେଶ କାମ କରୁଛନ୍ତି।
୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୪.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ କାନାଡା ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିଥିବାବେଳେ ପ୍ରାୟ ୬୦୦ କାନାଡୀୟ କମ୍ପାନୀ ଭାରତରେ କାର୍ଯ୍ୟ କରୁଛନ୍ତି।
ଭାରତ ସହ ମୁକ୍ତ ବାଣିଜ୍ୟ ରାଜିନାମାକୁ ନେଇ କାନାଡାରେ ଯଥେଷ୍ଟ ଆଗ୍ରହ ଓ ଉତ୍ସାହ ରହିଥିବା କଥା ଶ୍ରୀ ଗୋୟଲ କହିଛନ୍ତି। ଏହି ଗସ୍ତ ସମୟରେ ସେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଓ ବହିର୍ବାଣିଜ୍ୟ ମନ୍ତ୍ରୀ Maninder Sidhuଙ୍କ ସହ ମଧ୍ୟ ଭେଟିବେ।




