ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନୀ ମାରୁତି ସୁଜୁକି ଆସନ୍ତା ଜୁନ୍ ୧ ତାରିଖରୁ ନିଜ କାରଗୁଡ଼ିକର ମୂଲ୍ୟ ବଢ଼ାଇବାକୁ ଘୋଷଣା କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଦରବୃଦ୍ଧିଜନିତ ଚାପ ଏବଂ ବଜାରରେ ପ୍ରତିକୂଳ ମୂଲ୍ୟ ପରିବେଶକୁ ଦୃଷ୍ଟିରେ ରଖି ସମସ୍ତ ମଡେଲରେ ସର୍ବାଧିକ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି କରାଯିବ।
ମାରୁତି ସୁଜୁକି ଇଣ୍ଡିଆ ଏକ ନିୟାମକ ଫାଇଲିଂରେ ଜଣାଇଛି ଯେ, ଗତ କିଛି ମାସ ଧରି ଉତ୍ପାଦନ ଖର୍ଚ୍ଚ କମାଇ ଦରବୃଦ୍ଧିର ପ୍ରଭାବକୁ ନିୟନ୍ତ୍ରଣ କରିବାକୁ କମ୍ପାନୀ ଚେଷ୍ଟା କରୁଥିଲା। ହେଲେ ବର୍ତ୍ତମାନ ବୃଦ୍ଧି ପାଉଥିବା ଖର୍ଚ୍ଚ ଯୋଗୁଁ କାର ଦର ବଢ଼ାଇବା ଅନିବାର୍ଯ୍ୟ ହୋଇପଡ଼ିଛି।
କମ୍ପାନୀର ଏସ-ପ୍ରେସୋ ଠାରୁ ଆରମ୍ଭ କରି ପ୍ରିମିୟମ୍ ୟୁଟିଲିଟି ଭେହିକଲ୍ ଇନଭିକ୍ଟୋ ପର୍ଯ୍ୟନ୍ତ ବିଭିନ୍ନ ମଡେଲର ବର୍ତ୍ତମାନ ମୂଲ୍ୟ ୩.୪୯ ଲକ୍ଷରୁ ୨୮.୭ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଜୁନ୍ ୧ରୁ ଏହି ଯାନଗୁଡ଼ିକର ଦର ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ ବୋଲି କୁହାଯାଇଛି। ତେବେ କେଉଁ ମଡେଲର ଦର କେତେ ବଢ଼ିବ, ସେନେଇ କମ୍ପାନୀ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଦେଇନାହିଁ।
ସୂଚନାଯୋଗ୍ୟ, ଗତବର୍ଷ ନୂତନ ଜିଏସଟି ହାର ଲାଗୁ ହେବା ପରେ କିଛି ମଡେଲର ମୂଲ୍ୟରେ ପରିବର୍ତ୍ତନ ହୋଇଥିଲା। ସେଥିରେ ଅଲ୍ଟୋ କେ୧୦, ସେଲେରିଓ ଏବଂ ୱାଗନ ଆର ଭଳି ଲୋକପ୍ରିୟ କାରର ମୂଲ୍ୟ ବୃଦ୍ଧି ହୋଇଥିଲା। ଏବେ ପୁଣିଥରେ ଦର ବୃଦ୍ଧି ଘୋଷଣା ହେବାରୁ ନୂଆ କାର କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ଉପରେ ଅଧିକ ଭାର ପଡ଼ିବ।




