ମାଲକାନଗିରି: କୃଷି କ୍ଷେତ୍ରରେ ଏକ ବିରଳ ସଫଳତା। ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରିରେ ସଫଳତାର ସହ ଚାଷ ହୋଇଛି ବିଶ୍ୱର ସବୁଠାରୁ ଦାମୀ ଆମ୍ବ ‘ମିୟାଜାକି’ (Miyazaki)। ଯାହା ମୂଳତଃ ଜାପାନର ଏକ ପ୍ରଜାତି।ତାମସା ଗାଁର ଚାଷୀ ଦେବ ମାଡ଼କାମି ନିଜ ବଗିଚାରେ ଦୀର୍ଘ ୪ ବର୍ଷର ନିଷ୍ଠା ଓ କଠିନ ଯତ୍ନ ପରେ ଏହି ମିୟାଜାକି ଆମ୍ବ ଫଳାଇବାରେ ସଫଳ ହୋଇଛନ୍ତି। ଚଳିତ ବର୍ଷ ଗଛରେ ଫଳ ଧରିଥିବା ବେଳେ ଏବେ ତାହା ପାଚିବାକୁ ଲାଗିଲାଣି, ଯାହାକି ଚାଷୀଙ୍କ କଠିନ ପରିଶ୍ରମକୁ ବାସ୍ତବ ରୂପ ଦେଇଛି।
ଏହି ଗଛର ଗୋଟିଏ ଆମ୍ବର ଓଜନ ଏକ କିଲୋଗ୍ରାମରୁ ଅଧିକ ରହିଛି। ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ସୁନାଠାରୁ ବି ଅଧିକ। ବିଦେଶରେ ଏହି ଆମ୍ବ କିଲୋ ପ୍ରତି ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଜାପାନୀ ଭାଷାରେ ଏହାକୁ “ସୂର୍ଯ୍ୟଙ୍କ ଅଣ୍ଡା” (Egg of the Sun) ବୋଲି କୁହାଯାଏ। ମୂଳତଃ କେବଳ ଜାପାନରେ ଚାଷ କରାଯାଉଥିବା ଏହି ଆମ୍ବ ନିଜର ଅସାଧାରଣ ମିଠା ସ୍ୱାଦ, ଆକର୍ଷଣୀୟ ରଙ୍ଗ ଏବଂ ସୁଗନ୍ଧ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ।
ଗଛକୁ ଜଗିବାକୁ ରାତି ଅନିଦ୍ରା ହେଉଛନ୍ତି ଚାଷୀନିଜର ଏହି ମୂଲ୍ୟବାନ ଗଛକୁ ସୁରକ୍ଷା ଦେବା ପାଇଁ ଦେବ ମାଡ଼କାମି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଚୋରି ଆଶଙ୍କାରେ ସେ ଗଛ ଚାରିପଟେ ଏକ ଶକ୍ତ ବାଉଁଶ ବାଡ଼ ତିଆରି କରିଛନ୍ତି ଏବଂ ଫଳ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ରାତିରେ ମଧ୍ୟ ବଗିଚାରେ ଶୋଇ ଗଛକୁ ଜଗୁଛନ୍ତି। ଦେବଙ୍କ ଏହି ସଫଳତା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।




