ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଏକ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଯିବା ଫଳରେ ୨୫ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି।

ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ମାର୍କେଟରେ ବିଳମ୍ବିତ ରାତି ପ୍ରାୟ ସାଢେ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମାର୍କେଟରେ ଥିବା ଏକ ଦୋକାନରେ ପ୍ରଥମେ କୌଣସି କାରଣରୁ ନିଆଁ ଲାଗିଥିଲା। ଦେଖୁଦେଖୁ ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ, ତାହା କ୍ରମଶଃ ପାର୍ଶ୍ୱବର୍ତ୍ତୀ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା।

ପ୍ରାୟ ୧୫ରୁ ଅଧିକ ଦୋକାନ ପ୍ରଥମ ପର୍ଯ୍ୟାୟରେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା, ଯାହା ପରେ ବୃଦ୍ଧି ପାଇ ୨୫ରୁ ଅଧିକ ଦୋକାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଜଳେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।

ଦୀର୍ଘ ୨ ଘଣ୍ଟାର କଠିନ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।