ମୁମ୍ବାଇ: ହିନ୍ଦୀ ସିନେମା ଜଗତର ଦିଗ୍ଗଜ ଅଭିନେତା Dharmendraଙ୍କୁ ମରଣୋତ୍ତର ଭାବେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ ପ୍ରଦାନ କରାଯିବ। ଭାରତୀୟ ସିନେମାରେ ଦୀର୍ଘଦିନ ଧରି ତାଙ୍କର ଅସାଧାରଣ ଅବଦାନ ଏବଂ ମନୋରଞ୍ଜନ ଜଗତକୁ ଦେଇଥିବା ସେବା ପାଇଁ କେନ୍ଦ୍ର ସରକାର ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ।

ଧର୍ମେନ୍ଦ୍ରଙ୍କ ପକ୍ଷରୁ ଏହି ସମ୍ମାନକୁ ତାଙ୍କ ଧର୍ମପତ୍ନୀ Hema Malini ଗ୍ରହଣ କରିବେ। ଏହି ଅବସରକୁ ନେଇ ହେମା ମାଳିନୀ ଭାବପ୍ରବଣ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ସମଗ୍ର ପରିବାର ପାଇଁ ଏକ ସ୍ମରଣୀୟ ଓ ଗର୍ବର ମୁହୂର୍ତ୍ତ।

ସେ କହିଛନ୍ତି, “ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ସମୟ। ଅହାନା ମୋ ସହ ରହିବେ। ଇଶା ମଧ୍ୟ ଯୋଗ ଦେବାକୁ ଚାହୁଁଥିଲେ, କିନ୍ତୁ କିଛି କାରଣରୁ ଆସିପାରିଲେ ନାହିଁ। ସନି ଦେଓଲ, ବବି ଦେଓଲ ସହ ପରିବାରର ସମସ୍ତ ସଦସ୍ୟ ଏହି ଖବରରେ ଖୁସି ଅଛନ୍ତି।”

Dharmendraଙ୍କର ୨୦୨୫ ନଭେମ୍ବର ୨୪ରେ ୮୯ ବର୍ଷ ବୟସରେ ପରଲୋକ ହୋଇଥିଲା। ତାଙ୍କ ବିୟୋଗ ପରେ ଚଳଚ୍ଚିତ୍ର ଜଗତ ସହ ପରିବାର ମଧ୍ୟ ଗଭୀର ଶୋକରେ ଡୁବିଯାଇଥିଲା। ଏବେ ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଦେଶର ସର୍ବୋଚ୍ଚ ସମ୍ମାନମଧ୍ୟରୁ ଗୋଟିଏ ପ୍ରଦାନ କରାଯାଉଛି।

ଦୁଇଟି ବିବାହ ଓ ଚର୍ଚ୍ଚିତ ପ୍ରେମ କାହାଣୀ

ବ୍ୟକ୍ତିଗତ ଜୀବନରେ ମଧ୍ୟ Dharmendra ବେଶ୍‌ ଚର୍ଚ୍ଚାରେ ରହିଥିଲେ। ପ୍ରଥମେ ସେ ପ୍ରକାଶ କୌରଙ୍କ ସହ ବିବାହ କରିଥିଲେ। ସେମାନଙ୍କର ଚାରି ସନ୍ତାନ—Sunny Deol, Bobby Deol, ବିଜେତା ଓ ଅଜେତା ଅଛନ୍ତି।

ପରେ ସେ ପ୍ରକାଶ କୌରଙ୍କୁ ଛାଡ଼ପତ୍ର ନଦେଇ ଅଭିନେତ୍ରୀ Hema Maliniଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ପ୍ରେମ କାହାଣୀ ଆଜି ମଧ୍ୟ ବଲିଉଡର ସବୁଠୁ ଚର୍ଚ୍ଚିତ ପ୍ରେମ କାହାଣୀମାନଙ୍କ ମଧ୍ୟରେ ଗଣାଯାଏ।