ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଚାଲୁଥିବା ଏକ ବଡ଼ ଆଇପିଏଲ୍‌ ଅନଲାଇନ ବେଟିଂ ରାକେଟ୍‌କୁ ପୁଲିସ ଠାବ କରିଛି। ଦୁଇଟି ସ୍ଥାନରେ ଅତର୍କିତ ଚଢ଼ାଉ କରି ପୁଲିସ ବୁକି ସହିତ ୮ ଜଣଙ୍କୁ ଗିରଫ କରିଥିବାବେଳେ ୫ ଲକ୍ଷ ୯ ହଜାର ୧୦୦ ଟଙ୍କା ନଗଦ ଜବତ କରିଛି। ସେଥିସହ ବିଭିନ୍ନ ବ୍ୟାଙ୍କ ଖାତାରେ ଥିବା ପ୍ରାୟ ୩ ଲକ୍ଷ ୭୦ ହଜାର ଟଙ୍କାକୁ ଫ୍ରିଜ୍‌ କରାଯାଇଛି।

ପୁଲିସ ଚଢ଼ାଉ ସମୟରେ ୨ଟି ଲ୍ୟାପଟପ୍‌, ୪୧ଟି ମୋବାଇଲ ଫୋନ୍‌, ଗୋଟିଏ ଇନୋଭା କ୍ରିଷ୍ଟା କାର୍‌ ଓ ଗୋଟିଏ ମାରୁତି ବୋଲେନୋ ଗାଡ଼ି ମଧ୍ୟ ଜବତ କରିଛି।

ଦୁଇ ସ୍ଥାନରେ ଏକାସାଥି ଚଢ଼ାଉ

ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଜଗନ୍ନାଥ କଲୋନୀ ଏବଂ ରାମପୁର ହିଲଟପ ଅଫିସର୍ସ କଲୋନୀରେ ଅନଲାଇନ ମାଧ୍ୟମରେ ଆଇପିଏଲ୍‌ ବେଟିଂ ଚାଲୁଥିବା ସୂଚନା ପାଇ ପୁଲିସ ଏହି ଅପରେସନ କରିଥିଲା।

ବ୍ରଜରାଜନଗର ଥାନା ଆଇଆଇସି ଧବଳେଶ୍ବର ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ଇନ୍ସପେକ୍ଟର ପୂର୍ଣ୍ଣିମା ଓରାମ, ଏସଆଇ ଅଭୟ ମହାନ୍ତି ଓ ଗାନ୍ଧୀଛକ ଫାଣ୍ଡି ଅଧିକାରୀ ମଦନ ନାୟକ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

ପ୍ରଥମେ ହିଲଟପ ଅଫିସର୍ସ କଲୋନୀରେ ଚଢ଼ାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଥିଲା। ସେଠାରୁ ୨୪ଟି ମୋବାଇଲ ଫୋନ୍‌, ଗୋଟିଏ ଲ୍ୟାପଟପ୍‌ ଓ ୨ ଲକ୍ଷ ୩୪ ହଜାର ୧୦୦ ଟଙ୍କା ଜବତ ହୋଇଥିଲା। ପରେ ଗାନ୍ଧୀଛକ ଜଗନ୍ନାଥ କଲୋନୀରେ ଚଢ଼ାଉ କରି ଆଉ ୪ ଜଣଙ୍କୁ ଧରାଯାଇଥିଲା। ସେଠାରୁ ୧୬ଟି ମୋବାଇଲ, ଗୋଟିଏ ଲ୍ୟାପଟପ୍‌, ୨ ଲକ୍ଷ ୭୫ ହଜାର ଟଙ୍କା ଓ ଗୋଟିଏ ଇନୋଭା ଗାଡ଼ି ଜବତ କରାଯାଇଥିଲା। ପରେ ଏହି ଚକ୍ରର ମୁଖ୍ୟ ବୁକିଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଆନ୍ତର୍ରାଜ୍ୟ ବେଟିଂ ସିଣ୍ଡିକେଟ୍‌ ସହ ଲିଙ୍କ

ଝାରସୁଗୁଡା ଏସପି Gundala Raghavendra Reddy ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ତଦନ୍ତରୁ ଏହା ଏକ ସଂଗଠିତ ଆନ୍ତର୍ରାଜ୍ୟ ବେଟିଂ ସିଣ୍ଡିକେଟ୍‌ ସହ ଜଡିତ ଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ଶୀଘ୍ର ଲାଭ ଓ ସହଜ ଟଙ୍କାର ପ୍ରଲୋଭନ ଦେଇ ସାଧାରଣ ଲୋକଙ୍କୁ ଅନଲାଇନ ଜୁଆରେ ଫସାଉଥିଲେ।

ତଦନ୍ତ ସମୟରେ ବିଭିନ୍ନ ବ୍ୟାଙ୍କ ଲେନଦେନ ଓ ଆର୍ଥିକ କାରବାର ଚିହ୍ନଟ କରାଯାଇଥିବାବେଳେ ଏହା ସହ ଜଡିତ ଅନେକ ଆକାଉଣ୍ଟ ଉପରେ ନଜର ରଖାଯାଇଛି। ଖୁବ ଶୀଘ୍ର ଏହି ରାକେଟ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି।

ଗିରଫ ଅଭିଯୁକ୍ତମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।