ଭୁବନେଶ୍ଵର: ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଜୁ ଜନତା ଦଳରୁ ଇସ୍ତଫା ଦେବାର ମାତ୍ର ଦିନକ ପରେ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଦ୍ଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି ।
ଏହି ସାଂଗଠନିକ ମିଶ୍ରଣ ପର୍ବରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ଅନେକ ବରିଷ୍ଠ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ନେତା ଉପସ୍ଥିତ ଥିଲେ । ଦେବାଶିଷ ସାମନ୍ତରାୟଙ୍କୁ ଦଳୀୟ ଉତ୍ତରୀୟ ଓ ପଦ୍ମ ଚିହ୍ନ ପ୍ରଦାନ କରି ବିଜେପିକୁ ସ୍ୱାଗତ କରାଯାଇଥିଲା ।
ଆଗାମୀ ନିର୍ବାଚନୀ ମହାଲଢ଼େଇ ପୂର୍ବରୁ ଦେବାଶିଷଙ୍କ ଭଳି ଜଣେ ପ୍ରଭାବଶାଳୀ ନେତା ବିଜେଡି ଛାଡ଼ି ବିଜେପି ଆପଣାଇବା ଓଡ଼ିଶା ରାଜନୀତିର ସମୀକରଣକୁ ବଦଳାଇ ଦେଇଛି । ଏହି ନିଷ୍ପତ୍ତି ବିଜେଡି ପାଇଁ ଏକ ବଡ଼ ଝଟ୍କା ବୋଲି କୁହାଯାଉଛି ।
ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିସାରିଥିବା ଦେବାଶିଷ ସାମନ୍ତରାୟଙ୍କର ଓଡ଼ିଶା ରାଜନୀତିରେ, ବିଶେଷ କରି କଟକ ଓ ଏହାର ଆଖପାଖ ଅଞ୍ଚଳରେ ଭଲ ସାଂଗଠନିକ ପତିଆରା ରହିଛି । ବିଜେପିର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେବାଶିଷଙ୍କ ଯୋଗଦାନ ଫଳରେ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତି ଆହୁରି ମଜବୁତ ହେବ ଏବଂ ଏହା ଦଳକୁ ଆଗାମୀ ନିର୍ବାଚନରେ ବେଶ୍ ଫାଇଦା ପହଞ୍ଚାଇବ ।




