ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ଅନ୍ତର୍ଗତ ବାଲିଆପିଟା ଗ୍ରାମରେ ଘଟିଥିବା ଏକ ସ୍ପର୍ଶକାତର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ । ଜଣେ ଏକାକୀ ରହୁଥିବା ବିଧବା ମହିଳାଙ୍କୁ ସାଙ୍ଘାତିକ ଭାବେ ଦୁଷ୍କର୍ମ ଓ ପରେ ଗଳା ଚିପି ହତ୍ୟା କରିବା ଅଭିଯୋଗରେ ପୋଲିସ ଗତ ସୋମବାର ଦିନ ଜଣେ ୩୫ ବର୍ଷୀୟ ଯୁବକକୁ ଗିରଫ କରିଛି ।ଗିରଫ ଅଭିଯୋଗୀ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ସୁକଦେବ ଦଳେଇ ଓରଫ ମୁନା । ସେ ପେଶାରେ ଜଣେ ବାଲି ବ୍ୟବସାୟୀ ବୋଲି ଜଣାପଡ଼ିଛି ।
ମୃତ ମହିଳା ଜଣକ ହେଉଛନ୍ତି ବାଲିଆପିଟା ଗ୍ରାମର ଅନୀତା ସିଂ ଓରଫ ଖାନି । ବିଗତ ୧୨ ବର୍ଷ ହେବ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ଛୋଟ ଦେଶୀୟ ସାମଗ୍ରୀ/କିରାନା ଦୋକାନ କରୁଥିଲେ । ତାଙ୍କର ଏକମାତ୍ର ପୁଅ ପଣ୍ଡିଚେରୀରେ ରହୁଥିବାରୁ ସେ ଘରେ ଏକାକୀ ରହୁଥିଲେ । ନିକଟରେ ନିଜ ଘର ମରାମତି କାର୍ଯ୍ୟ ପାଇଁ ଅନୀତା ବାଲି ଯୋଗାଇବାକୁ ସୁକଦେବଙ୍କ ସହ ଯୋଗାଯୋଗ କରିଥିଲେ । ଏହି ସୂତ୍ରରୁ ସୁକଦେବଙ୍କର ଅନୀତାଙ୍କ ଘରକୁ ଯିବାଆସିବା ବଢ଼ିଥିଲା ।
ପୋଲିସ ସୂଚନା ଅନୁଯାୟୀ, ଗତ ମେ ୨୦ ତାରିଖ ସଞ୍ଜ ଆଡ଼କୁ ଅନୀତା ଓ ସୁକଦେବଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିଲା । ସେହି ରାତିରେ ସୁକଦେବ ଅନୀତାଙ୍କ ଘରେ ପଶି ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ପରେ ଏକ ଆପ୍ରନ ସାହାଯ୍ୟରେ ତାଙ୍କ ଗଳା ଚିପି ନୃଶଂସ ଭାବେ ହତ୍ୟା କରିଥିଲା । ଅପରାଧ ଲୁଚାଇବା ଉଦ୍ଦେଶ୍ୟରେ ସେ ମହିଳାଙ୍କ ମୋବାଇଲ୍ ଫୋନ୍ ଧରି ନିଜ ମୋଟରସାଇକେଲରେ ସେଠାରୁ ଫେରାର ହୋଇଯାଇଥିଲା ।
ଅଭିଯୁକ୍ତର ସ୍ୱୀକାରୋକ୍ତି, ତଦନ୍ତ ଜାରିଘଟଣାର ତଦନ୍ତ କରି ବୈସିଙ୍ଗା ଥାନା ପୋଲିସ ସୁକଦେବକୁ ଗିରଫ କରିବା ସହ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ (Crime Scene Recreation) କରାଇଛି । ସାକ୍ଷୀମାନଙ୍କ ସମ୍ମୁଖରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ସହ ସମ୍ପୂର୍ଣ୍ଣ ଘଟଣାବଳୀର ଡେମୋ ଦେଖାଇଛି । ପୋଲିସ ସୁକଦେବ ନିକଟରୁ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଏବଂ ଅପରାଧରେ ବ୍ୟବହୃତ ବାଇକ୍ ଜବତ କରିଛି । ଏହି ବର୍ବରକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି ।




