ତାମିଲ ଚଳଚ୍ଚିତ୍ର ଜଗତ (କଲିଉଡ) ପାଇଁ ଏକ ବଡ଼ ନିଷ୍ପତ୍ତି କ୍ରମେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ ‘ତାମିଲନାଡୁ ସିନେମା (ନିୟନ୍ତ୍ରଣ) ନିୟମାବଳୀ’ରେ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି। ଏହି ନୂଆ ନିୟମ ଅନୁଯାୟୀ, ବର୍ତ୍ତତମାନ ରାଜ୍ୟର ସମସ୍ତ ପ୍ରେକ୍ଷାଳୟରେ ଯେକୌଣସି ନୂଆ ତାମିଲ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ପ୍ରଥମ ସପ୍ତାହ (୭ ଦିନ) ପର୍ଯ୍ୟନ୍ତ ପ୍ରତିଦିନ ୫ଟି ଶୋ’ ପ୍ରଦର୍ଶିତ ହୋଇପାରିବ।

ଗତ ମେ ୧୬ ତାରିଖରେ ଚଳଚ୍ଚିତ୍ର ଜଗତର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଅତିରିକ୍ତ ଶୋ’ ପାଇଁ ଦାବି କରିଥିଲେ, ଯାହାକୁ ଏବେ ଅନୁମତି ମିଳିଛି। ପୂର୍ବରୁ ୧୯୫୭ ନିୟମାବଳୀର ଧାରା ୧୪-A ଅନୁସାରେ ଦୈନିକ କେବଳ ୪ଟି ଶୋ’ ପାଇଁ ଅନୁମତି ଥିଲା ଏବଂ କେବଳ ପର୍ବପର୍ବାଣୀ କିମ୍ବା ସରକାରୀ ଛୁଟିଦିନରେ ସ୍ୱତନ୍ତ୍ର ଅନୁମତି ସହ ପଞ୍ଚମ ଶୋ’ ଚାଲୁଥିଲା।

ଏହି ନୂଆ ନିର୍ଦ୍ଦେଶ ପରେ ଏଣିକି ପ୍ରେକ୍ଷାଳୟଗୁଡ଼ିକୁ ଆଉ ଅଲଗା ଭାବେ ଅନୁମତି ନେବାକୁ ପଡ଼ିବ ନାହିଁ। ବଡ଼ ବଡ଼ ଚଳଚ୍ଚିତ୍ର ଗୁଡ଼ିକର ସଫଳତା ପାଇଁ ଏହି ରିହାତି ସ୍ଥାନୀୟ ପର୍ବପର୍ବାଣୀ, ସରକାରୀ ଛୁଟିଦିନ ସମେତ ଶନିବାର ଓ ରବିବାର ମଧ୍ୟ ଲାଗୁ ହେବ। ଚଳଚ୍ଚିତ୍ର ସମୀକ୍ଷକ ଓ ପ୍ରଯୋଜକମାନଙ୍କ ମତରେ, ଏହି ପଦକ୍ଷେପ ଦ୍ୱାରା ନିର୍ମାତା ଓ ବିତରକମାନେ ନିଜର ପୁଞ୍ଜି ଶୀଘ୍ର ଫେରସ୍ତ ପାଇପାରିବେ ଏବଂ ଦର୍ଶକମାନେ ମଧ୍ୟ ସୁବିଧାଜନକ ସମୟରେ ସିନେମା ଦେଖିବାର ସୁଯୋଗ ପାଇବେ।