ନୂଆଦିଲ୍ଲୀ: ଦେଶର ସର୍ବବୃହତ କାର୍‌ ନିର୍ମାତା Maruti Suzuki ନିଜ କର୍ମଚାରୀମାନଙ୍କ ପାଇଁ ‘ୱାର୍କ ଫ୍ରମ୍‌ ହୋମ୍‌’ ବ୍ୟବସ୍ଥା ଲାଗୁ କରିଛି। ପ୍ରଧାନମନ୍ତ୍ରୀ Narendra Modiଙ୍କ ଖର୍ଚ୍ଚକାଟ ଆହ୍ୱାନ ପରେ କମ୍ପାନି ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି।

କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଯେଉଁ କର୍ମଚାରୀମାନଙ୍କର କାର୍ଯ୍ୟସ୍ଥଳରେ ସିଧାସଳଖ ଉପସ୍ଥିତି ଆବଶ୍ୟକ ନୁହେଁ, ସେମାନଙ୍କ ପାଇଁ ଘରୁ କାମ କରିବାର ସୁବିଧା ଲାଗୁ ହେବ। ସେଥିସହ ଅଧିକାରୀମାନଙ୍କୁ ଅନାବଶ୍ୟକ ବିଦେଶ ଗସ୍ତ ଏଡ଼ାଇବା ଓ ଭର୍ଚୁଆଲ୍‌ ବୈଠକକୁ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇନ୍ଧନ ଓ ବିଦେଶୀ ମୁଦ୍ରା ସଞ୍ଚୟ ଉପରେ ଜୋର

Maruti Suzuki କହିଛି ଯେ, ବର୍ତ୍ତମାନ ପରିସ୍ଥିତିରେ ବ୍ୟବସାୟକୁ ଅଧିକ ଦକ୍ଷ ଓ ଫଳପ୍ରଦ ଭାବେ ପରିଚାଳନା କରିବା ଆବଶ୍ୟକ। ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମାଇବା ସହ ବିଦେଶୀ ମୁଦ୍ରା ବ୍ୟୟକୁ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ କର୍ମଚାରୀମାନଙ୍କୁ ସଚେତନ କରାଯାଇଛି।

ଏହା ସହିତ କାରପୁଲିଂ ଓ ସାଧାରଣ ପରିବହନ ବ୍ୟବହାର କରିବାକୁ ମଧ୍ୟ ଅଧିକାରୀମାନଙ୍କୁ ଉତ୍ସାହିତ କରାଯାଇଛି। ଅଫିସରେ ଏସି, ଫ୍ୟାନ୍‌ ଓ ଆଲୋକ ବ୍ୟବହାରରେ ମଧ୍ୟ ସଂଯମ ରଖିବାକୁ କମ୍ପାନି ପରାମର୍ଶ ଦେଇଛି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ପଦକ୍ଷେପ

ସମ୍ପ୍ରତି Narendra Modi ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବା ସହ ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ। ସେ କରୋନା ସମୟର ଭଳି ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଥିବାବେଳେ ସୁନା ଆମଦାନି ପାଇଁ ମଧ୍ୟ ଭାରତ ବିପୁଳ ବିଦେଶୀ ମୁଦ୍ରା ବ୍ୟୟ କରୁଛି। ଏହି ପରିପ୍ରେକ୍ଷୀରେ ଖର୍ଚ୍ଚକାଟ ଓ ସଞ୍ଚୟ ଉପରେ ଜୋର ଦିଆଯାଉଛି।