ନୂଆଦିଲ୍ଲୀ: ତ୍ବିଷା ଶର୍ମା ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଅପରାହ୍ଣରେ ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କରିଛି। ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କୁ ପୂର୍ବରୁ ମିଳିଥିବା ଆଗୁଆ ଜାମିନକୁ ରଦ୍ଦ କରିବା ପରେ ସିବିଆଇ ଏହି ପଦକ୍ଷେପ ନେଇଛି। ଭୋପାଳ ସେସନ୍ସ କୋର୍ଟ ମେ ୧୫ରେ ଦେଇଥିବା ରିଲିଫ୍‌କୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଥିଲେ।

ଯୌତୁକ ମୃତ୍ୟୁ, ମହିଳାଙ୍କ ପ୍ରତି ନିଷ୍ଠୁରତା ଏବଂ ଯୌତୁକ ନିରୋଧ ଆଇନର ବିଭିନ୍ନ ଧାରା ଅନୁଯାୟୀ ଗିରିବାଳା ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ସିବିଆଇର ଏକ ଟିମ୍ ଭୋପାଳସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

ତ୍ବିଷାଙ୍କ ପିତା ନବନିଧି ଶର୍ମା ଏହି ଗିରଫଦାରୀକୁ ନ୍ୟାୟ ପାଇଁ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ଲଢ଼େଇରେ ଯେଉଁମାନେ ତାଙ୍କ ପରିବାର ସହ ଛିଡ଼ା ହୋଇଛନ୍ତି ସେମାନଙ୍କ ପ୍ରତି ସେ କୃତଜ୍ଞ। ସେହିପରି ମାମଲାକୁ ଗ୍ରହଣ କରିଥିବା ପାଇଁ ସେ ସୁପ୍ରିମ୍‌କୋର୍ଟ ଏବଂ ଭାରତର ପ୍ରଧାନ ବିଚାରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନ୍ୟାୟିକ ପ୍ରକ୍ରିୟା ଉପରେ ନିଜର ପୂର୍ଣ୍ଣ ବିଶ୍ୱାସ ଥିବା ସହ ସିବିଆଇ ସମ୍ପୂର୍ଣ୍ଣ ସତ୍ୟକୁ ସାମ୍ନାକୁ ଆଣିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ନୋଏଡାର ବାସିନ୍ଦା ତ୍ବିଷା ଶର୍ମା ଗତ ଡିସେମ୍ବର ୨୦୨୫ରେ ଭୋପାଳର ସମର୍ଥ ସିଂହଙ୍କୁ ବିବାହ କରିଥିଲେ। ମେ ୧୨ରେ ତାଙ୍କର ମୃତ୍ୟୁ ଘଟିଥିଲା। ତ୍ବିଷାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ବିବାହ ପରଠାରୁ ତାଙ୍କୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ସିବିଆଇ ତଦନ୍ତ ଜାରି ରଖିଛି।