ମାଲକାନଗିରି: ଓଡ଼ିଶାର ସମବାୟ କ୍ଷେତ୍ରରେ ପୁଣି ଏକ ବଡ଼ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି। ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ମାଲକାନଗିରି ଜିଲ୍ଲା ।ମାଥିଲି ଲ୍ୟାମ୍ପସ (LAMPS) ଏବେ ମହାଘୋଟାଲାର ଗଡ଼ ପାଲଟିଛି। ଲ୍ୟାମ୍ପସରୁ ପ୍ରାୟ ୨ କୋଟି ୪୯ ଲକ୍ଷ ଟଙ୍କା ଗାଏବ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଅଭିଯୋଗ ଓ ତଦନ୍ତ ପରେ ବି ପ୍ରଶାସନ କାହିଁକି ଏଯାଏଁ ଚୁପ୍ ବସିଛି?

ମାଥିଲି ଲ୍ୟାମ୍ପସର ପରିଚାଳନା ପରିଷଦର ନିଲମ୍ବିତ ସଦସ୍ୟମାନଙ୍କ ଅଭିଯୋଗ ଅନୁଯାୟୀ, ଲ୍ୟାମ୍ପସ ଏମଡି (MD) ସନ୍ତୋଷୀ ପରିଡ଼ା ଏବଂ କ୍ୟାସିଅର ମିଶି ୨୦୨୩ ମସିହାରୁ ନିଜ ମନମୁତାବକ କାର୍ଯ୍ୟ କରୁଥିଲେ। ଚାଷୀଙ୍କ ଝାଳବୁହା ଅର୍ଥକୁ କୌଣସି ନିୟମ ନମାନି ବିଭିନ୍ନ ବେନାମୀ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇ ଆତ୍ମସାତ କରାଯାଇଛି। ହିସାବପତ୍ରରେ ବ୍ୟାପକ ତାଳମେଳ ନଥିବା ବେଳେ, କେଉଁ ଆଧାରରେ ଏବଂ କାହା ଠିକଣାରେ ଏହି ଟଙ୍କା ଉଠାଯାଇଛି, ତାର କୌଣସି ସ୍ପଷ୍ଟ ସୂଚନା ନାହିଁ।ଏହି ମହାଘୋଟାଲା ସାମ୍ନାକୁ ଆସିବା ପରେ ସମବାୟ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇଥିଲା।

ତଦନ୍ତକାରୀ ଅଧିକାରୀମାନେ ଯାଞ୍ଚ ବେଳେ ବହୁ ଗୁରୁତର ଅନିୟମିତତା ଧରିଥିବା ଚର୍ଚ୍ଚା ହେଉଛି। ମାତ୍ର ତଦନ୍ତ ସରିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରିପୋର୍ଟ ପ୍ରକାଶ କରାଯାଇ ନାହିଁ। ପ୍ରଶାସନର ଏଭଳି ଆଭିମୁଖ୍ୟ ଯୋଗୁଁ ସମବାୟ ବିଭାଗର ଭୂମିକା ଏବେ ସନ୍ଦେହଘେରକୁ ଆସିଛି।ସ୍ଥାନୀୟ ଜନପ୍ରତିନିଧିଙ୍କ କହିବା ଅନୁଯାୟୀ, ପରିଚାଳନା କମିଟି ଏବଂ ଏମଡିଙ୍କ ମଧ୍ୟରେ ବେଆଇନ ଅର୍ଥର ଭାଗବଣ୍ଟା ଛିଣ୍ଡି ନଥିବାରୁ ଏବେ ପରସ୍ପର ଉପରକୁ ଦୋଷ ଲଦାଲଦି ଚାଲିଛି।

ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନକରି ମାମଲାକୁ ଚାପି ଦେବା ପାଇଁ ପଛରେ ବଡ଼ ଧରଣର ପ୍ରୟାସ ଚାଲିଥିବା ଅଭିଯୋଗ ହେଉଛି।ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ଏହି ସମ୍ବେଦନଶୀଳ ଘଟଣାରେ କେବେ ମହାପର୍ଦ୍ଦାଫାସ ହେବ ଏବଂ ଦୁର୍ନୀତିଖୋର କେବେ ଜେଲ୍ ଯିବେ, ତାହା ଦେଖିବାକୁ ବାକି ରହିଲା।