ଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଜି ଭାରତୀୟ ନୌସେନାର ବୀରତ୍ୱ ଏବଂ ସାମରିକ ଶକ୍ତିର ପ୍ରତୀକ ସ୍ୱରୂପ ‘ନୌସେନା ଶୌର୍ଯ୍ୟ ବାଟିକା’ର ଭବ୍ୟ ଉଦ୍‌ଘାଟନ ହେବାକୁ ଯାଉଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଳିତ ଭାବେ ଏହି ସ୍ମାରକୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।ଲକ୍ଷ୍ନୌର ଏକାନା ଷ୍ଟାଡିୟମ ନିକଟରେ ପ୍ରାୟ ୨ ଏକର ପରିମିତ ଜମିରେ ଏହି ଓପନ୍-ଏୟାର ନୌସେନା ସଂଗ୍ରହାଳୟ ନିର୍ମାଣ କରାଯାଇଛି।

ଭାରତୀୟ ନୌସେନା ଏବଂ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହା ପ୍ରସ୍ତୁତ ହୋଇଛି। ଏହି ବାଟିକାର ମୁଖ୍ୟ ଆକର୍ଷଣ ସାଜିଛି ଭାରତୀୟ ନୌସେନାର ଅବସରପ୍ରାପ୍ତ ଯୁଦ୍ଧପୋତ ‘ଆଇଏନଏସ ଗୋମତୀ’ (INS Gomti), ଯାହା ଦୀର୍ଘ ତିନି ଦଶନ୍ଧି ଧରି ଦେଶ ସେବା କରିବା ପରେ ୨୦୨୨ ମସିହାରେ ଅବସର ନେଇଥିଲା। ଏହା ବ୍ୟତୀତ ନୌସେନାର ବିଭିନ୍ନ ଯୁଦ୍ଧାସ୍ତ୍ର, ମିସାଇଲ୍ ଲଞ୍ଚର୍ ଓ ସାମରିକ ଉପକରଣ ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଛି।ଟ୍ୱିଟର (X)ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, “ଏହି କମ୍ପ୍ଲେକ୍ସ ଆମ ନୌସେନାର ଅଦମ୍ୟ ସାହସ ଓ ଆଧୁନିକ ଦକ୍ଷତାର ଏକ ଜୀବନ୍ତ ପ୍ରତୀକ।”

ଅନ୍ୟପଟେ ନିଜ ସଂସଦୀୟ କ୍ଷେତ୍ର ଲକ୍ଷ୍ନୌ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌ-କାନପୁର ଏକ୍ସପ୍ରେସୱେର ଶେଷ ସମୀକ୍ଷା ମଧ୍ୟ କରିବେ। ଜୁନ୍ ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଏକ୍ସପ୍ରେସୱେକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି, ଯାହା ଉଭୟ ସହର ମଧ୍ୟରେ ଯାତ୍ରା ସମୟକୁ ମାତ୍ର ୪୫ ରୁ ୫୦ ମିନିଟ୍‌କୁ କମାଇଦେବ।