ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଞ୍ଚଳରେ ଏକ ଫାର୍ମହାଉସ୍ ଭିତରେ ହାତୀକୁ ମାରି ପୋତି ଦିଆଯାଇଥିବା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୋଗ ପାଇବା ପରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ରବିବାର ଚଢ଼ାଉ କରି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଫାର୍ମହାଉସ୍କୁ ସିଲ୍ କରାଯାଇଥିବା ବେଳେ ମାଲିକଙ୍କ ସମେତ ତିନିଜଣଙ୍କୁ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ, ହିନ୍ଦୋଳ ଏନ୍ଏସିର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଚରଣପୁର ଅଞ୍ଚଳରେ କୁବେର ରାଜଙ୍କ ଚାରି ଏକର ଜମି ଉପରେ ଥିବା ଫାର୍ମହାଉସ୍ରେ ହାତୀ ପୋତାଯାଇଥିବା ନେଇ ବନ ବିଭାଗ ଖବର ପାଇଥିଲା। ଏହାପରେ ଅଧିକାରୀମାନେ ସେଠାରେ ପହଞ୍ଚି ତଦନ୍ତ ଚଳାଇଥିଲେ।
ମାଲିକଙ୍କ ସମେତ ୩ ଜଣ ଅଟକ
ଘଟଣାରେ ଫାର୍ମହାଉସ୍ ମାଲିକ କୁବେର ରାଜ, କୁନୁ ଭୂତିଆ ଏବଂ ରାଜୁ ଚୌଧୁରୀଙ୍କୁ ଅଟକ ରଖି ହିନ୍ଦୋଳ ବନ ବିଭାଗ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି।
ହିନ୍ଦୋଳ ରେଞ୍ଜ ଅଧିକାରୀ Trilochan Dehuri କହିଛନ୍ତି ଯେ, ଫାର୍ମହାଉସ୍ ଭିତରେ ହାତୀ ପୋତାଯାଇଥିବା ସ୍ଥାନକୁ ଚିହ୍ନଟ କରାଯାଇଛି। ଫାର୍ମହାଉସ୍ ମାଲିକ ହାତୀ ପୋତାଯାଇଥିବା ସ୍ଥାନ ଦେଖାଇଥିବା ସହ ଏହାକୁ ସ୍ୱୀକାର କରିଥିବା ଅଧିକାରୀ ଦାବି କରିଛନ୍ତି।
ସୋମବାର ଖୋଳାଯିବ ସ୍ଥାନ
ସନ୍ଧ୍ୟା ହୋଇଯାଇଥିବାରୁ ରବିବାର ସ୍ଥାନଟି ଖୋଳାଯାଇନଥିଲା। ବନ ବିଭାଗର ବରିଷ୍ଠ ଅଧିକାରୀମାନେ ସମଗ୍ର ରାତି ସ୍ଥାନଟିର ନଜରଦାରୀ କରିବା ସହ ଫାର୍ମହାଉସ୍କୁ ସିଲ୍ କରିଛନ୍ତି। ସୋମବାର ସକାଳେ ଜେସିବି ସହାୟତାରେ ଖନନ କରାଯାଇ ମୃତଦେହ ବାହାର କରାଯିବ ଏବଂ ପରବର୍ତ୍ତୀ ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।
ସୌରବାଡ଼ ଯୋଗୁଁ ମୃତ୍ୟୁ ସନ୍ଦେହ
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଫାର୍ମହାଉସ୍ ଚାରିପାଖରେ ସୋଲାର ଲାଇଟ୍ ବ୍ୟବସ୍ଥା ସହ ସୌରବାଡ଼ ଲଗାଯାଇଛି। ସେହି ସୌରବାଡ଼ର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥାଇପାରେ ବୋଲି କେତେକ ଲୋକ ସନ୍ଦେହ ପ୍ରକାଶ କରୁଛନ୍ତି।
ତେବେ ହାତୀର ମୃତ୍ୟୁ ପରେ ବନ ବିଭାଗକୁ ସୂଚନା ନ ଦେଇ ତରବରିଆ ଭାବେ ମାଟି ତଳେ ପୋତି ଦିଆଯିବା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ହାତୀଟି ସୌରବାଡ଼ ସଂସ୍ପର୍ଶରେ ଆସି ମରିଛି କିମ୍ବା ଅନ୍ୟ କୌଣସି କାରଣରୁ ତାହାର ମୃତ୍ୟୁ ଘଟିଛି, ତାହା ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ।
ତଦନ୍ତରେ ଢେଙ୍କାନାଳ ଏସିଏଫ୍ Kunjabihari Nayak, ହିନ୍ଦୋଳ ରେଞ୍ଜ ଅଧିକାରୀ ତ୍ରିଲୋଚନ ଦେହୁରୀ, ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟ, ଫରେଷ୍ଟ ଗାର୍ଡ ଦିପୁ ରଞ୍ଜନ ଖିଲାର ଏବଂ ହିନ୍ଦୋଳ ପୁଲିସର ଅଧିକାରୀମାନେ ସାମିଲ ହୋଇଛନ୍ତି।




