ଭୁବନେଶ୍ୱର: ଚଳିତ ବର୍ଷ ରଜରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି ମିଳିବାକୁ ଯାଉଛି ଏକ ବଡ଼ ଚଳଚ୍ଚିତ୍ର। ଆସନ୍ତା ଜୁନ୍ ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଡାଏରୀ’। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଆଦିଲକ୍ଷ୍ମୀ କନଭେନସନ୍‌ଠାରେ ଚଳଚ୍ଚିତ୍ରର ଭବ୍ୟ ଅଡ଼ିଓ ଏବଂ ଟିଜର୍ ରିଲିଜ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଶାଳୀନ ଏବଂ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା ବରିଷ୍ଠ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ଏହି ସିନେମାଟି ପ୍ରସ୍ତୁତ ହୋଇଛି। ଚଳଚ୍ଚିତ୍ରର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ।

ସଙ୍ଗୀତ ଏବଂ ଟିଜର୍ ରିଲିଜ୍ ହେବା ପରେ ଏହାର କାହାଣୀ ଓ ଗୀତକୁ ନେଇ ସିନେପ୍ରେମୀ ଓ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉତ୍କଣ୍ଠା ପ୍ରକାଶ ପାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ସହ ଜଡ଼ିତ ଅନେକ କଳାକାର ଓ ବରିଷ୍ଠ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ନିର୍ଦ୍ଦେଶକ ସୁଶାନ୍ତ ମଣି ସିନେମା ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ‘ଡାଏରୀ’ର କାହାଣୀ ଏବଂ ଏହାର ପ୍ରତିଟି ସଙ୍ଗୀତ ଦର୍ଶକଙ୍କ ହୃଦୟକୁ ଛୁଇଁବ।

ରଜ ପରିବେଶରେ ଏହି ଫିଲ୍ମଟି ଓଡ଼ିଆ ଦର୍ଶକଙ୍କ ପାଇଁ ଏକ ସୁନ୍ଦର ଉପହାର ହେବ ବୋଲି ପ୍ରଯୋଜକ ଆଶା ବ୍ୟକ୍ତ କରିଛନ୍ତି।ସାଧାରଣତଃ ଓଡ଼ିଶାରେ ରଜ ସମୟରେ ଓଡ଼ିଆ ସିନେମା ଦେଖିବା ପାଇଁ ହଲ୍‌ଗୁଡ଼ିକରେ ପ୍ରବଳ ଭିଡ଼ ଜମିଥାଏ। ଚଳିତ ବର୍ଷ ‘ଡାଏରୀ’ ବକ୍ସ ଅଫିସ୍‌ରେ କେତେ ଧମାଲ୍ କରୁଛି ଏବଂ ଦର୍ଶକଙ୍କୁ କେତେ ଆକୃଷ୍ଟ କରୁଛି, ତାହା ଜୁନ୍ ୧୨ରେ ମୁକ୍ତିଲାଭ ହେବା ପରେ ହିଁ ସ୍ପଷ୍ଟ ହେବ।