ବଡ଼ମ୍ବା: ବଡ଼ମ୍ବା-ନରସିଂହପୁର ଐରାବତ ମଣ୍ଡଳରେ ବନ୍ୟପ୍ରାଣୀ ବିଶେଷ କରି ହାତୀ ସମ୍ପଦ ଏବେ ବଡ଼ ବିପଦରେ। ଅଞ୍ଚଳରେ ଚିନ୍ତାଜନକ ଭାବେ ବଢ଼ିଚାଲିଥିବା ହାତୀ ମୃତ୍ୟୁ ସଂଖ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବଡ଼ମ୍ବାର ପୂର୍ବତନ ବିଧାୟକ ଦେବୀପ୍ରସାଦ ମିଶ୍ର। ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଶ୍ରୀ ମିଶ୍ର ଏହି ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସରକାରୀ ଓ ବେସରକାରୀ ସୂତ୍ରରୁ ମିଳିଥିବା ପରିସଂଖ୍ୟାନ ଉପସ୍ଥାପନ କରି ପୂର୍ବତନ ବିଧାୟକ କହିଛନ୍ତି ଯେ, କେବଳ ବଡ଼ମ୍ବା-ନରସିଂହପୁର ଅଞ୍ଚଳରେ ଗତ କିଛି ବର୍ଷ ହେବ ହାତୀ ମଡ଼କ ଚାଲିଛି। ତଥ୍ୟ ଅନୁଯାୟୀ ୨୦୨୫ ସୁଦ୍ଧା ରାଜ୍ୟରେ ୧୦୫ଟି ହାତୀଙ୍କର ମୃତ୍ୟୁ ଘଟିଛି।୨୦୨୬ ବର୍ଷରେ ଏହି ସଂଖ୍ୟା ୮୦ ଛୁଇଁଥିଲା।ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା କେବଳ ବଡ଼ମ୍ବା-ନରସିଂହପୁର ବନଖଣ୍ଡରୁ ୨୦ରୁ ଅଧିକ ହାତୀ ପ୍ରାଣ ହରାଇ ସାରିଲେଣି।
ରାଜ୍ୟର ସମୁଦାୟ ହାତୀ ମୃତ୍ୟୁ ମଧ୍ୟରୁ କେବଳ ବଡ଼ମ୍ବା-ନରସିଂହପୁର ଅଞ୍ଚଳରୁ ୨୨ ପ୍ରତିଶତ ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଅତ୍ୟନ୍ତ ଉଦ୍ବେଗଜନକ ବୋଲି ଦେବୀପ୍ରସାଦ ମିଶ୍ର କହଛନ୍ତି।
ଐରାବତ ମଣ୍ଡଳ ଭାବେ ପରିଚିତ ଏହି ଅଞ୍ଚଳରେ ଏତେ ସଂଖ୍ୟାରେ ହାତୀଙ୍କ ମୃତ୍ୟୁ ବନ ବିଭାଗର ସୁରକ୍ଷା ବ୍ୟବସ୍ଥା ଓ ପରିଚାଳନା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିକାରୀଙ୍କ ପ୍ରାଦୁର୍ଭାବ, ବିଦ୍ୟୁତ ଆଘାତ କିମ୍ବା ଅନ୍ୟ କେଉଁ କାରଣରୁ ଏଭଳି ସ୍ଥିତି ଉପୁଜୁଛି, ତାହାର ତୁରନ୍ତ ତଦନ୍ତ ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ପ୍ରାକୃତିକ ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରୀ ବୋଲି ଶ୍ରୀ ମିଶ୍ର ମତ ପ୍ରକାଶ କରିଛନ୍ତି।




